କୃଷକ ଆନ୍ଦୋଳନକୁ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ଶାହ
ନୂଆଦିଲ୍ଲୀ , (ଓଡିଶା ଟାଇମ୍) :କୃଷକମାନେ ନୂଆ କୃଷି ଆଇନକୁ ବିରୋଧ କରି ରାଜରାସ୍ତାକୁ ଓହ୍ଲାଇଛନ୍ତି । ସେମାନେ ଦିଲ୍ଲୀର ବିଭିନ୍ନ ସୀମାରେ ଧାରଣା ଦେବା ସହ ଆନ୍ଦୋଳନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ପଞ୍ଜାବର ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଗୁରୁବାର କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହାଙ୍କୁ ସାକ୍ଷାତ କରିବେ। ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଓ ଅମିତ୍ ଶାହାଙ୍କ ମଧ୍ୟରେ ଏହି ସାକ୍ଷାତ ସକାଳ ୯ଟା ୩୦ରୁ ୧୦ଟା ମଧ୍ୟରେ ହେବ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ସକାଳ ୮ଟାରେ ଚଣ୍ଡିଗଡରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି ।
ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାରଙ୍କ ନୂତନ କୃଷି ଆଇନ୍ ବିରୋଧରେ କୃଷକଙ୍କ ତୀବ୍ର ଆନ୍ଦୋଳନ ଜାରି ରହିଛି। ଦିଲ୍ଲୀ ସୀମାରେ ଗତ ୮ ଦିନ ହେବ କୃଷକଙ୍କ ଆନ୍ଦୋଳନ ଜାରି ରଖିଛି। ସେମାନେ କୃଷି ଆଇନ ପ୍ରତ୍ୟାହାର ଦାବିରେ ନିଜ ଜିଦ୍ରେ ଅଟଳ ରହିଛନ୍ତି। କୃଷକ କେନ୍ଦ୍ର ସରକାରଙ୍କ ଏହି ଆଇନକୁ କଳା କାନୁନ ଅବିଭିତ କରିଛନ୍ତି।
ସରକାର କୃଷକଙ୍କୁ ମନାଇବାକୁ ଚେଷ୍ଟା ଚଳାଇଛନ୍ତି। ଲମ୍ବା ଟଣା ଓଟରା ପରେ ମଙ୍ଗଳବାର ସରକାର ଓ କୃଷକ ସଂଗଠନ ମଧ୍ୟରେ ଆଲୋଚନା ହୋଇଥିଲା। କିନ୍ତୁ ଏହି ଆଲୋଚନା ଫଳାଫଳଶୂନ୍ୟ ରହିଥିଲା। ପୁଣି ଥରେ ଗୁରୁବାର କେନ୍ଦ୍ର ସରକାର ଓ କୃଷକ ସଂଗଠନ ମଧ୍ୟରେ ଆଲୋଚନା ହେବାକୁ ଯାଉଛି। ଏହା ଉଭୟ ପକ୍ଷ ମଧ୍ୟରେ ଚତୁର୍ଥ ପର୍ଯ୍ୟାୟ ଆଲୋଚନା। ସଭିଙ୍କ ନଜର ଆସନ୍ତାକାଲି ହେବାକୁ ଥିବା ଏହି ଆଲୋଚନା ଉପରେ ରହିଛି।