ପରୀ ହତ୍ୟା ମାମଲାରେ ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର, (ଓଡିଶା ଟାଇମ୍) : ନୟାଗଡ ଜିଲ୍ଲାର ‘ପରୀ’ ମୃତ୍ୟୁ ମାମଲାର ଏସଆଇଟି ସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏନେଇ ମୁଖ୍ୟମନ୍ତ୍ରୀ ଆଜି ବିଧାନସଭାରେ ଘୋଷଣା କରିଛନ୍ତି । ଏହା ସହ ବିରୋଧୀ ସଦସ୍ୟଙ୍କୁ ସହଯୋଗ ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ସେ କହିଛନ୍ତି ଯେ, ‘ନିରପେକ୍ଷ ତଦନ୍ତ ଉପରେ ମୋ ସରକାର ବିଶ୍ୱାସ କରେ । ଗୃହରେ ବିରୋଧୀମାନେ ଏଥିରେ ସହଯୋଗ କରନ୍ତୁ ।’ ତେବେ ଏସଆଇଟି ତଦନ୍ତ ପାଇଁ ବିରୋଧୀ ସଦସ୍ୟ ଦାବି କରିଥିଲେ ।
ପୂର୍ବରୁ ନୟାଗଡ଼ ପରୀ ହତ୍ୟା ମାମଲାର କ୍ରାଇମବ୍ରାଞ୍ଚ ତଦନ୍ତ ନେଇ ନିଷ୍ପତ୍ତି ହୋଇଥିଲା। ଆଜି ତଦନ୍ତ ପାଇଁ କ୍ରାଇମବ୍ରାଞ୍ଚ ଏଡିଜି ନୟାଗଡ଼ରେ ପହଞ୍ଚିଥିବା ଜଣାଯାଇଛି । ଏଡିଜି ଯଶୋବନ୍ତ ଜେଠୁଆଙ୍କ ନେତୃତ୍ୱରେ କ୍ରାଇମବ୍ରାଞ୍ଚ ଟିମ ନୟାଗଡ଼ରେ ପହଞ୍ଚିଛି । କ୍ରାଇମବ୍ରାଞ୍ଚ ର ୭ ଜଣିଆ ଟିମ ନୟାଗଡ଼ ସଦର ଥାନାରୁ ତଦନ୍ତ ଆରମ୍ଭ କରିଛନ୍ତି । ଏହି ପରିପ୍ରେକ୍ଷୀରେ ଯିଏ ବି ଦୋଷୀ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଡିଜି ଯଶୋବନ୍ତ ଜେଠୁଆ କହିଛନ୍ତି ।