ଆସନ୍ତା କାଲିଠାରୁ ମହାରାଷ୍ଟ୍ରରେ ଖୋଲିବ ସମସ୍ତ ଧାର୍ମିକସ୍ଥଳୀ
ମହାରାଷ୍ଟ୍ର, (ଓଡିଶା ଟାଇମ୍) :ମହାରାଷ୍ଟ୍ର ସରକାର ରାଜ୍ୟର ସମସ୍ତ ଧାର୍ମିକ ସ୍ଥଳୀ ଖୋଲିବା ପାଇଁ ଅନୁମତି ଦେଇଛନ୍ତି । ତେବେ ଏଥି ପାଇଁ ସରକାର କିଛି ଗାଇଡଲାଇନ୍ ଜାରି କରିଛନ୍ତି । ନଭେମ୍ବର ୧୬ରୁ ସର୍ତ୍ତମୂଳକ ଭାବେ ସମସ୍ତ ମନ୍ଦିର ଖୋଲିବ । ମନ୍ଦିର ଯାଉଥିବା ଶ୍ରଦ୍ଧାଳୁମାନଙ୍କୁ ସରକାରଙ୍କ ତରଫରୁ ସମସ୍ତ ନିୟମ ପାଳନ କରିବାକୁ ପଡିବ । ମାସ୍କ ପିନ୍ଧି ମନ୍ଦିର ଯିବାକୁ ବାଧ୍ୟତାମୂଳକ କରାଯାଇଛି ।
ସରକାରଙ୍କ ତରଫରୁ ଆହୁରି ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ଯେ, ମନ୍ଦିରରେ ସାମାଜିକ ଦୂରତା ପାଳନ କରିବାକୁ ପଡିବ । ମନ୍ଦିରରେ ଯେପରି ଅଧିକ ଗହଳି ନହେବ ସେନେଇ ନଜର ରଖାଯିବ । ମହାରାଷ୍ଟ୍ର ସରକାର ଏହି ନିର୍ଦ୍ଦେଶ ଜାରି କରିବା ପରେ ପ୍ରସିଦ୍ଧ ସିଦ୍ଧି ବିନାୟକ ମନ୍ଦିର ଖୋଲିବା ନେଇ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି ।
ସିଦ୍ଧି ବିନାୟକ ମନ୍ଦିର ଟ୍ରଷ୍ଟର କର୍ତ୍ତୃପକ୍ଷ କହିଛନ୍ତି ଯେ, ସରକାର ମନ୍ଦିର ଖୋଲିବା ନେଇ ନିର୍ଦ୍ଦେଶ ଦେଇଛନ୍ତି । ନିର୍ଦ୍ଦେଶର ନକଲ ମିଳିବା ପରେ ବୈଠକ ଡକାଯିବ । ସୂଚନାଯୋଗ୍ୟ, ମନ୍ଦିର ଖୋଲିବା ପ୍ରସଙ୍ଗକୁ ନେଇ ମହାରାଷ୍ଟ୍ରରେ ବିରୋଧୀ ଦଳ ସରକାରଙ୍କୁ ଘେରିଥିଲେ । ଏହାକୁ ନେଇ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ପ୍ରଶ୍ନ କରିଥିଲେ ।