ଆତ୍ମନିର୍ଭର ଭାରତ ୩.୦ ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) :ଆତ୍ମନିର୍ଭର ଭାରତ ୩.୦ ଅଧୀନରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ୧୨ ଯୋଜନା ଘୋଷଣା କରିଛନ୍ତି। ଏଥିପାଇଁ ୨.୬୫ ଲକ୍ଷ କୋଟିର ବ୍ୟବସ୍ଥାର କରାଯାଇଛି। ଗ୍ରାମୀଣ ନିଯୁକ୍ତି ବୃଦ୍ଧି କରିବା ଓ ବିଭିନ୍ନ ବର୍ଗର ଲୋକଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବା ପାଇଁ ଏହି ପ୍ୟାକେଜ୍‌ରେ ବ୍ୟବସ୍ଥା କରାଯାଇଛି। ସେଥିପାଇଁ ଏହାର ନାଁ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା ରହିଥିବା ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।

ଆଜି ଘୋଷଣା ହୋଇଥିବା ୨.୬୫ ଲକ୍ଷ କୋଟିର ପ୍ୟାକେଜରେ କର୍ପୋରେଟ ସେକ୍ଟର ଠାରୁ ଆରମ୍ଭ କରି ଚାଷୀ, ରିଏଲିଷ୍ଟେଟ ଓ ନବ ନିଯୁକ୍ତି ପାଉଥିବା ଲୋକଙ୍କ ପାଇଁ ବ୍ୟବସ୍ଥା କରାଯାଇଛି। ନିର୍ମଳା ସୀତାରମଣ କହିଛନ୍ତି, ଆତ୍ମନିର୍ଭର ଭାରତ ୩.୦ ଜରିଆରେ ମୋଟ ୧୨ଟି ଯୋଜନା କାର୍ଯ୍ୟକାରୀ କରାଯିବ। ଏଥିପାଇଁ ୨,୬୫,୦୮୦ କୋଟି ଟଙ୍କା ଖର୍ଚ୍ଚ ହେବ। ଏହାକୁ ମିଶାଇ ଦେଶର ଅର୍ଥନୀତିକୁ ଟ୍ରାକ୍‌କୁ ଫେରାଇ ଆଣିବା ପାଇଁ ସରକାର ମୋଟ ୨୯,୮୭,୬୪୧ କୋଟି ଟଙ୍କାର ପ୍ୟାକେଜ ଘୋଷଣା କରି ସାରିଲେଣି। ଏହା ଜିଡିପିର ପ୍ରାୟ ୧୫%।

ଆତ୍ମନିର୍ଭର ଭାରତ ନିଯୁକ୍ତି ଯୋଜନା

ଆତ୍ମନିର୍ଭର ଭାରତ ରୋଜଗାର ଯୋଜନା ଲକ୍ଷ୍ୟ ହେଉଛି ଏହି ଯୋଜନାରେ ଅଧିକରୁ ଅଧିକ କର୍ମଚାରୀ EPFO ​​ରେ ଯୋଡିହୁଅନ୍ତୁ ଏବଂ PF ର ଲାଭ ଉଠାନ୍ତ। ଯେଉଁ କର୍ମଚାରୀମାନେ ପୂର୍ବରୁ PF ପାଇଁ ପଞ୍ଜୀକୃତ ହୋଇନଥିଲେ ଏବଂ ଯାହାର ଦରମା ୧୫ ହଜାରରୁ କମ୍ ସେମାନେ ମଧ୍ୟ ଏହି ଯୋଜନାର ଲାଭ ପାଇବେ । ଯେଉଁମାନଙ୍କ ପାଖରେ ଅଗଷ୍ଟରୁ ସେପ୍ଟେମ୍ବର ପର୍ଯ୍ୟନ୍ତ ଚାକିରି ନଥିଲା କିନ୍ତୁ ପରେ PF ସହ ଯୋଡି ହୋଇଛନ୍ତି ସେମାନଙ୍କୁ ମଧ୍ୟ ଏହି ଯୋଜନାର ଲାଭ ମିଳିବ । ଏହି ଯୋଜନା ୩୦ ଜୁନ୍ ୨୦୨୧ ପର୍ଯ୍ୟନ୍ତ ବଳବତ୍ତର ରହିବ। ଏଥି ସହିତ କେନ୍ଦ୍ର ସରକାର ଦୁଇ ବର୍ଷ ପର୍ଯ୍ୟନ୍ତ ଏକ ହଜାର କର୍ମଚାରୀ ଥିବା ସଂସ୍ଥା ନୂତନ ନିଯୁକ୍ତି ପାଇଥିବା କର୍ମଚାରୀଙ୍କ ଇପିଏଫ୍‌ ଭରିବେ। ୧ ହଜାରରୁ କମ୍‌ କର୍ମଚାରୀ ଥିବା ସଂସ୍ଥାରେ ୨୪% ଇପିଏଫ୍ ଦେବ କେନ୍ଦ୍ର। ସଂସ୍ଥା ଦେବାକୁ ଥିବା ୧୨% ଓ କର୍ମଚାରୀଙ୍କ ୧୨% ମଧ୍ୟ ଦେବ କେନ୍ଦ୍ର। ହଜାରେରୁ ଅଧିକ କର୍ମଚାରୀ ଥିବା ସଂସ୍ଥାର କର୍ମଚାରୀଙ୍କ ଭାଗ ଭରିବ କେନ୍ଦ୍ର। କର୍ମଚାରୀଙ୍କ ପକ୍ଷରୁ ଦାଖଲ ହେଉଥିବା ୧୨% ରାଶି କେନ୍ଦ୍ର ଦେବ। ଏହି ଇପିଏଫ୍ ଭରଣା ଆଗାମୀ ୨ ବର୍ଷ ପର୍ୟ୍ୟନ୍ତ ଚାଲୁ ରହିବ ବୋଲି କହିଛନ୍ତି ସୀତାରମଣ।

ପିଏମ୍‌ ଆବାସ ଯୋଜନା – ସହରୀ

ପ୍ରଧାନମନ୍ତ୍ରୀ ସହରୀ ଆବାସ ଯୋଜନା ପାଇଁ ୧୮ ହଜାର କୋଟି ଟଙ୍କାର ଅତିରିକ୍ତ ବ୍ୟବସ୍ଥା କରାଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି। ଏଥିରେ ସମୁଦାୟ ୩୦ ଲକ୍ଷ ଘର ଉପକୃତ ହେବ । ବଜେଟରେ ଘୋଷିତ ଆଠ ହଜାର କୋଟି ଟଙ୍କା ସହିତ ଏହି ରାଶି ଅତିରିକ୍ତ ପରିମାଣ ହେବ । ଏହା ଦ୍ବାରା ୭୮ ଲକ୍ଷରୁ ଅଧିକ ଲୋକଙ୍କୁ ରୋଜଗାର ପାଇବେ।

Leave a Reply

Your email address will not be published.