ସନ୍ଧ୍ୟା ୬ ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ସଙ୍କଟ କାଳରେ ଆଜି ସନ୍ଧ୍ୟା ୬ଟାରେ ଦେଶର ନାଗରିକଙ୍କ ନାଁରେ ଏକ ବାର୍ତା ଜାରି କରିବେ। ଅର୍ଥାତ ଦେଶବାସୀଙ୍କୁ ସମ୍ବୋଧନ କରିବେ। ଖୋଦ୍ ମୋଦି ଏ କଥା ଟ୍ବିଟ୍ କରି ଜଣାଇଛନ୍ତି। ସେ ଲେଖିଛନ୍ତି , ‘ଆଜି ସନ୍ଧ୍ୟା ୬ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିବି। ଆପଣମାନେ ନିଶ୍ଚୟ ଯୋଡି ହେବେ।’
ମୋଦିଙ୍କ ଏ ଟ୍ବିଟ ପରେ କଳ୍ପନାଜଳ୍ପନା ଆରମ୍ଭ ହୋଇଛି। କାରଣ କେଉଁ ବିଷୟରେ ସେ ଆଲୋଚନା କରିବେ ତାକୁ ନେଇ ସେ କିଛି ସ୍ପଷ୍ଟ କରି ନାହାନ୍ତି। କରୋନା କାଳରେ କିଛି ବଡ଼ ବାର୍ତା ଦେଇପାରନ୍ତି ବୋଲି ଆଲୋଚନା ହେଉଛି।
ଆଗକୁ ପାର୍ବଣ ଋତୁ ପାଖେଇ ଆସୁଥିବାରୁ କରୋନା ପାଇଁ କିଛି ନୂଆ ନିୟମ ଆଣିପାରନ୍ତି ବୋଲି ମଧ୍ୟ ଆଶା ରହିଛି। ସ୍ବାସ୍ଥ୍ୟ ବିଭାଗ ଦେଇଥିବା ଗୋଷ୍ଠି ସଂକ୍ରମଣ ବାବଦରେ ବି ଆଲୋଚନା କରିପାରନ୍ତି। ଉଲ୍ଲେଖନୀୟ ୮ ମାସ ଅର୍ଥାତ ମାର୍ଚ ମାସରୁ ଏବେ ସୁଦ୍ଧା ସେ ପାଞ୍ଚ ଥର ସମ୍ବୋଧିତ କରିସାରିଲେଣି। ତେବେ ଆଜି ସେ କ’ଣ ବାର୍ତା ଦେବେ ତାହା ଜାଣିବା ପାଇଁ ସନ୍ଧ୍ୟା ୬ଟାକୁ ଅପେକ୍ଷା କରିବାକୁ ହେବ।