କଶ୍ମୀରକୁ ଅସ୍ତ୍ରଶସ୍ତ୍ର ଚୋରାଚାଲାଣ ଲାଗି ପାକିସ୍ତାନର ଉଦ୍ୟମକୁ ପଣ୍ଡ କଲା ଭାରତୀୟ ସେନା
ଶ୍ରୀନଗର, (ଓଡିଶା ଟାଇମ୍) : ଅନ୍ତର୍ଜାତୀୟ ଆତଙ୍କବାଦକୁ ପ୍ରୋତ୍ସାହନ ଦେବା ଅଭିଯୋଗରେ ପାକିସ୍ତାନ ବିରୋଧରେ ଗ୍ଲୋବାଲ ଫାଇନାନ୍ସିଆଲ୍ ଆକ୍ସନ୍ ଟାସ୍କ ଫୋର୍ସ (FATF) କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଏହା ସତ୍ବେ ପାକିସ୍ତାନ ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ କରିବାକୁ ଯତ୍ପରୋନାସ୍ତି ଚେଷ୍ଟା କରୁଛି । ପ୍ରଥମେ ଡ଼୍ରୋନ ଯୋଗେ ଅସ୍ତ୍ରଶସ୍ତ୍ର ପଠାଇବା ଉଦ୍ୟମ କରି ବିଫଳ ହେବା ପରେ ପାକ୍ ସେନା ଆତଙ୍କବାଦୀଙ୍କ ପାଇଁ ନଦୀ ବାଟରେ ଅସ୍ତ୍ରଶସ୍ତ୍ର ପଠାଇବାକୁ ଯୋଜନା କରୁଛନ୍ତି । ପାକିସ୍ତାନର ଏପରି ଏକ ଯୋଜନାକୁ ଗତକାଲି ରାତିରେ ଭାରତୀୟ ସେନା ବିଫଳ କରିଛି ଓ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି ।
ଗତକାଲି ଅର୍ଥାତ୍ (ଅକ୍ଟୋବର ୯) ରାତି ପ୍ରାୟ ୮.୩୦ ମିନିଟ ସମୟରେ କିଶାନ ଗଙ୍ଗାନଦୀ (କେଜିଆର) ଅପର ପାଖରେ କିଛି ଗତିବିଧି ସାଟେଲାଇଟରେ ରେକର୍ଡ଼ ହୋଇଥିଲା । ସେନା ଓ ଜାମ୍ମୁ-କାଶ୍ମୀର ପୁଲିସ ପକ୍ଷରୁ ତୁରନ୍ତ ଏ ସମ୍ପର୍କରେ ଗୋପନ ଅପରେସନ ଆରମ୍ଭ ହୋଇଥିଲା ।
ରାତି ୧୦ଟା ବେଳକୁ ଦଉଡ଼ି ବନ୍ଧା ହୋଇଥିବା ଟ୍ୟୁବରେ ଭାସି ଆସିଥିବା କିଛି ସାମଗ୍ରୀକୁ ୨/୩ ଜଣ ଆତଙ୍କବାଦୀ ନେବାକୁ ଚେଷ୍ଟା କରୁଥିବା ଦେଖିବାକୁ ମିଳିଥିଲା । ସେନାବାହିନୀ ପକ୍ଷରୁ ତୁରନ୍ତ ଚଢ଼ଉ କରି ୨ ଜଣଙ୍କୁ ଗିରଫ କରିବା ସହ ସାମଗ୍ରୀକୁ ଜବତ କରିଥିଲେ ।