ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବା ସମ୍ପର୍କରେ ଆଜି ଆଲୋଚନା

ଭୁବନେଶ୍ବର, (ଓଡିଶା ଟାଇମ୍): ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲାଯିବା ସମ୍ପର୍କରେ ଲୋକଙ୍କ ମତାମତ ଲୋଡ଼ିବ ମନ୍ଦିର ପ୍ରଶାସନ। ମୁଖ୍ୟ ପ୍ରଶାସକ ଡଃ କ୍ରିଷନ କୁମାର ଶୁକ୍ରବାର ଏ ସମ୍ପର୍କରେ ବିଭିନ୍ନ ବର୍ଗ ଲୋକଙ୍କ ସହ ଆଲୋଚନା କରିବେ। ସେବକ ନିଯୋଗ କର୍ମକର୍ତ୍ତା ଏବଂ ବରିଷ୍ଠ ସେବକଙ୍କ ମତାମତ ସଂଗ୍ରହ କରାଯିବ। ସେହିପରି ଆଗାମୀ ୧୨ରୁ ୧୬ତାରିଖ ପର୍ଯ୍ୟନ୍ତ ଏ ସମ୍ପର୍କରେ ଆଲୋଚନା କରାଯିବା କାର୍ଯ୍ୟକ୍ରମ ରହିଛି।

ଜନସାଧାରଣଙ୍କ ପାଇଁ ମନ୍ଦିର ଖୋଲିବା ସମ୍ପର୍କରେ ୧୦ଦିନ ମଧ୍ୟରେ ମତାମତ ଦେବାକୁ ରାଜ୍ୟ ସରକାର ଗୁରୁବାର ମନ୍ଦିର ପ୍ରଶାସନ ସମେତ ଜିଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି। ତାହାକୁ ଭିତ୍ତିକରି ଭିଡ଼ିଓ କନ୍‌ଫରେନ୍ସିଂ ମାଧ୍ୟମରେ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରିବ ମନ୍ଦିର ପ୍ରଶାସନ। ଏହାପରେ ଆବଶ୍ୟକୀୟ ନିଷ୍ପତ୍ତି ନିମନ୍ତେ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦିଆଯିବ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ମନ୍ଦିର ଖୋଲିବା ନେଇ ଜିଲାପାଳଙ୍କୁ ମୁଖ୍ୟ ଶାସନ ସଚିବ ରିପୋର୍ଟ ମାଗିବା ପରେ ଅଣସେବକ ଭକ୍ତଙ୍କ ମଧ୍ୟରେ ବେଶ୍‌ ଉତ୍କଣ୍ଠା ପ୍ରକାଶ ପାଇଛି। ଭକ୍ତଙ୍କ ପାଇଁ ଖୁବ୍‌ଶୀଘ୍ର ମନ୍ଦିର ଖୋଲାଯିବା ସମ୍ଭାବନା ଦେଖାଦେଇଛି। ନଭେମ୍ବର ୧ତାରିଖରୁ ଏକମାସଧରି କାର୍ତ୍ତିକବ୍ରତ ଆରମ୍ଭ ହେବ।

ଶ୍ରୀକ୍ଷେତ୍ରରେ କାର୍ତ୍ତିକବ୍ରତ ପାଳନ ପାଇଁ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ସମ୍ଭାବନା ରହିଛି। ସେହିପରି ନଭେମ୍ବର ୨୭ତାରିଖରେ ଶ୍ରୀମନ୍ଦିର ରତ୍ନସିଂହାସନରେ ଦାରୁବ୍ରହ୍ମଙ୍କ ଆକର୍ଷଣୀୟ ନାଗାର୍ଜୁନ ବେଶ ଅନୁଷ୍ଠିତ ହେବ। ତେଣୁ କାର୍ତ୍ତିକବ୍ରତ ଓ ନାଗାର୍ଜୁନ ବେଶ ଜନଗହଳିକୁ ଦୃଷ୍ଟିରେ ରଖି ଭକ୍ତଙ୍କ ପାଇଁ ଏବେ ଶ୍ରୀମନ୍ଦିର ଖୋଲାଯିବ କି ନାହିଁ ସେ ସମ୍ପର୍କରେ ରାଜ୍ୟ ସରକାର ଚୂଡାନ୍ତ ନିଷ୍ପତ୍ତି ଗ୍ରହଣ କରିବେ। ଜିଲାପାଳଙ୍କଠାରୁ ରିପୋର୍ଟ ମିଳିବା ପରେ ଏ ସମ୍ପର୍କରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଆଇନମନ୍ତ୍ରୀ ପ୍ରତାପ କୁମାର ଜେନା ଗୁରୁବାର ଗଣମାଧ୍ୟମକୁ କହିଛନ୍ତି।

Leave a Reply

Your email address will not be published.