୯ଟି ରାଜପଥ ପ୍ରକଳ୍ପର ଭିତ୍ତି ପ୍ରସ୍ଥର ସ୍ଥାପନ କଲେ ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ବିହାରରେ ୧୪ ହଜାର ୨୫୮ କୋଟି ଟଙ୍କା ସମ୍ବଳିତ ୯ଟି ରାଜପଥ ପ୍ରକଳ୍ପର ଭିତ୍ତି ପ୍ରସ୍ଥର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପଗୁଡ଼ିକ ଅଧୀନରେ ୩୫୦ କିଲୋମିଟର ଦୀର୍ଘ ସଡ଼କ ନିର୍ମାଣ ହେବ ଓ ଏ ବାବଦରେ ୪ ହଜାର ୨୫୮ କୋଟି ଟଙ୍କା ଖର୍ଚ୍ଚ ହେବ।
ଏହା ବ୍ୟତୀତ ୩୯ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ପାଟନା ରିଙ୍ଗରୋଡ୍କୁ ୬ ଲାଇନ୍ ବିଶିଷ୍ଟ ସଡ଼କରେ ପରିଣତ କରାଯିବ। ତା’ଛଡ଼ା ୩୦ ନମ୍ବର ଜାତୀୟ ରାଜପଥର ଆରା-ମୋହନିଆ ସଡ଼କକୁ ୪ ଲାଇନ୍ ବିଶିଷ୍ଟ ସଡ଼କରେ ପରିଣତ କରାଯିବ। ୩୧ ନମ୍ବର ଜାତୀୟ ରାଜପଥର ବଖତିଆରପୁର-ରାଜୌଲି ସେକ୍ସନ ଏବଂ ୧୩୧-ଏ ଜାତୀୟ ରାଜପଥର ନରେନପୁର-ପୂର୍ଣ୍ଣିଆ ସେକ୍ସନକୁ ମଧ୍ୟ ୪ ଲାଇନ୍ ବିଶିଷ୍ଟ ସଡ଼କରେ ପରିଣତ କରାଯିବ।
ଏହି ରାଜପଥ ପ୍ରକଳ୍ପ ନିର୍ମାଣ ହେଲେ ଉତ୍ତମ ସଡ଼କ ସଂଯୋଗ ବ୍ୟବସ୍ଥା ସ୍ଥାପନ ହେବା ସହ ଅର୍ଥନୈତିକ ଅଭିବୃଦ୍ଧି ତ୍ୱରାନ୍ୱିତ ହେବ। ପଡ଼ୋଶୀ ରାଜ୍ୟ ଉତ୍ତରପ୍ରଦେଶ ଓ ଝାଡ଼ଖଣ୍ଡକୁ ମାଲ ପରିବହନ ଓ ଗମନାଗମନ ବ୍ୟବସ୍ଥାରେ ମଧ୍ୟ ଏହା ଉନ୍ନତି ଆଣିବ।
ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ବିହାରର ମୌଳିକ ଢ଼ାଞ୍ଚା ବିକାଶ ପାଇଁ ୨୦୧୫ରେ ଏକ ସ୍ୱତନ୍ତ୍ର ସହାୟତା ବିଷୟ ଘୋଷଣା କରିଥିଲେ। ତାହା ମଧ୍ୟରେ ୫୪ ହଜାର ୭ କୋଟି ଟଙ୍କା ସମ୍ବଳିତ ୭୫ଟି ପ୍ରକଳ୍ପ ଥିଲା। ସେଗୁଡ଼ିକ ମଧ୍ୟରୁ ୧୩ଟି ପ୍ରକଳ୍ପର କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି ଓ ୩୮ଟି ପ୍ରକଳ୍ପର କାର୍ଯ୍ୟ ଚାଲିଛି।
ଆଜି ପ୍ରଧାନମନ୍ତ୍ରୀ ୩ଟି ବୃହତ ପୋଲକୁ ମଧ୍ୟ ଉଦ୍ଘାଟନ କରିଛନ୍ତି। ଏଥି ସହିତ ଗଙ୍ଗାନଦୀ ଉପରେ ପୋଲଗୁଡ଼ିକର ସଂଖ୍ୟା ୧୭କୁ ବୃଦ୍ଧି ପାଇଛି। ପ୍ରଧାନମନ୍ତ୍ରୀ ଅପ୍ଟିକାଲ୍ ଫାଇବର୍ ଇଣ୍ଟରନେଟ ସେବାକୁ ମଧ୍ୟ ଉଦ୍ଘାଟନ କରିଛନ୍ତି।