ଶ୍ରୀମନ୍ଦିରର ପ୍ରାୟ ୪ ଶହ ସେବାୟତ କରୋନା ସଂକ୍ରମିତ
ପୁରୀ, (ଓଡିଶା ଟାଇମ୍) :ପୁରୀ ସହରରେ କୋଭିଡ଼ ସଂକ୍ରମଣ ସଂଖ୍ୟା ବଢ଼ି ଚାଲିଛି। ଶ୍ରୀମନ୍ଦିରର ପ୍ରାୟ ୪ ଶହ ସେବାୟତ କରୋନା ସଂକ୍ରମିତ ହୋଇ ସାରିଲେଣି। ଯାହା ଫଳରେ ମହାପ୍ରଭୁଙ୍କ ପ୍ରତିଦିନ ସେବା ପୂଜା କରୁଥିବା ସେବାୟତଙ୍କ ସଂଖ୍ୟା କମିବାରେ ଲାଗିଛି। ଆଗାମୀ ଦିନରେ ଶ୍ରୀଜୀଉଙ୍କ ସେବା ପୂଜା ବାଧାପ୍ରାପ୍ତ ହେବା ନେଇ ଆଶଙ୍କା ଉପୁଜିଲାଣି। ତେବେ ମହାପ୍ରଭୁଙ୍କ ସେବା ପୂଜା ପାଇଁ ବିକଳ୍ପ ବ୍ୟବସ୍ଥା ରହିଥିବା କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ।
ମହାମାରୀ କରୋନା ଯୋଗୁଁ ଅନେକ ସେବାୟତ କୋଭିଡ଼ ସଂକ୍ରମିତ ହେଉଥିବା ଯୋଗୁଁ ଏଭଳି ଆଶଙ୍କା ସୃଷ୍ଟି ହୋଇଛି। ପ୍ରତିଦିନ ସେବାୟତ ମାନେ କୋଭିଡ଼ ପଜିଟିଭ ଚିହ୍ନଟ ହେଉଛନ୍ତି। ତେଣୁ ଏଭଳି ସ୍ଥିତିରେ ପାଳିଆ ସେବାୟତ ଓ ଦୈନନ୍ଦିନ ମହାପ୍ରଭୁଙ୍କ ସେବା ପୂଜା କରୁଥିବା ସେବାୟତ ନିଜକୁ ସୁରକ୍ଷିତ ମଣୁ ନାହାନ୍ତି।
ତେବେ ଆଗାମୀ ଦିନରେ ସେବାୟତଙ୍କ ପଜିଟିଭ ସଂଖ୍ୟା ହ୍ରାସ ପାଇଲେ ମହାପ୍ରଭୁଙ୍କ ସେବା ପୂଜା ବ୍ୟାଘାତ ହେବା ସମ୍ଭାବନା ଦେଖା ଦେଇଛି। ସୂଚନା ଅନୁଯାୟୀ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସେବା ପୂଜା ପାଇଁ ୧୩ ଜଣ ଲେଖାଏଁ ମୋଟ ୩୯ ଜଣ ପୂଜାପଣ୍ତା ସେବକ ପାଳି ଖଟିଥାନ୍ତି। ରୋଟେସନ ଭିତିରେ ଏହି ସେବା ପୂଜା କରାଯାଉଥିବା ବେଳେ ଏଥି ମଧ୍ୟରୁ ଏବେ ୮ ଜଣ ଅସୁସ୍ଥ। ତେଣୁ ଆଗାମୀ ଦିନରେ ଯଦି ଅଧିକ ରୁ ଅଧିକ ସେବାୟତ ସଂକ୍ରମିତ ହୁଅନ୍ତି ତାହାଲେ ମହାପ୍ରଭୁଙ୍କ ନୀତି କାନ୍ତିରେ ବାଧା ଉପୁଜିବା ଆଶଙ୍କା ରହିଥିବା କହିଛନ୍ତି ସେବାୟତ।
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ନୀତି କାନ୍ତି ସହ ସିଧାସଳଖ ସଂପର୍କ ରହିଛି ପୂଜାପଣ୍ତା, ସିଂହାରୀ, ମେକାପ, ପୁଷ୍ପାଳକ ଓ ମହାଜନ ସେବାୟତଙ୍କ। ଦିନକୁ ଦିନ ଏମାନଙ୍କ ମଧ୍ୟରେ ଗୋଟିଏ ପରେ ଗୋଟିଏ ନିଯୋଗର ସେବାୟତ ମାନେ କୋଭିଡ଼ ଆକ୍ରାନ୍ତ ହେଉଥିବାରୁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି ହୋଇଛି।
ଅନେକ ସଂକ୍ରମିତ ଥିବା ସେବାୟତ ପୁରୀର କୋଭିଡ଼ କେୟାର ସେଣ୍ଟର ଓ ଭୁବନେଶ୍ୱରରେ ଚିକିତ୍ସିତ ହେଉଛନ୍ତି। ସେହିପରି ଯେଉଁ ସେବାୟତ ମାନେ ହୋମ ଆଇସୋଲେସନରେ ଅଛନ୍ତି ସେମାନେ ସଠିକ ଭାବେ ନିୟମ ପାଳନ କରି ପାରୁନାହାନ୍ତି। କାରଣ ଅନେକ ସେବାୟତଙ୍କ ଘର ବହୁତ ଛୋଟ ଓ କୋଠରୀ ସଂଖ୍ୟା କମ୍। ତେଣୁ ଜଣେ ସଂକ୍ରମିତ ହେଲେ ଏହା ଅନ୍ୟ ମାନଙ୍କୁ ବ୍ୟାପୁଛି। ଅନ୍ୟପଟେ ମହାପ୍ରଭୁଙ୍କ ସେବା ପୂଜାରେ କୌଣସି ବ୍ୟାଘାତ ଘଟିଲା ଭଳି ଗୁରୁତୁର ପରିସ୍ଥିତି ଆସିନଥିବା କହିଛନ୍ତି ପରିଚାଳନା କମିଟି ସଦସ୍ୟ।