ଭାରତ ଓ ଚୀନ୍ ସୀମା ବିବାଦ: ସ୍ଥିତି ସମୀକ୍ଷା ଲାଗି ଲଦାଖରେ ଆର୍ମି ଚିଫ୍
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ପୂର୍ବ ଲଦାଖରେ ଥିବା ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି)ରେ ଭାରତ ଓ ଚୀନ୍ ମଧ୍ୟରେ ଜାରି ତିକ୍ତତା ମଧ୍ୟରେ ସ୍ଥିତି ସମୀକ୍ଷା ପାଇଁ ଲଦାଖରେ ପହଞ୍ଚିଛନ୍ତି ଆର୍ମି ଚିଫ୍ ଜେନେରାଲ ମନୋଜ ମୁକୁନ୍ଦ ନରୱଣେ ।
ଲଦାଖରେ ସେ ସୁରକ୍ଷା ସମ୍ବନ୍ଧୀୟ ବିଷୟର ତଦାରଖ କରିବେ ଏବଂ ଦୁଇ ଦିନିଆ ଏହି ଗସ୍ତରେ ଚୀନ୍ ବିରୋଧରେ ପ୍ରସ୍ତୁତ ଭାରତୀୟ ଯବାନଙ୍କ ରଣନୀତିର ସମୀକ୍ଷା କରିବେ ବୋଲି ଜଣାପଡିଛି ।
ଆହୁରି ମଧ୍ୟ ପୂର୍ବ ଲଦାଖ ସ୍ଥିତ ପେଙ୍ଗୋଙ୍ଗ ହ୍ରଦର ଦକ୍ଷିଣ ପଟେ ଭାରତ ଓ ଚୀନ୍ ସୈନିକଙ୍କ ମଧ୍ୟରେ ନିକଟ ଅତୀତରେ ଉତ୍ତେଜନା ଦେଖାଦେଇଥିଲା । ଯାହା ଫଳରେ ଦୁଇ ଦେଶ ମଧ୍ୟରେ ତିକ୍ତତାର ସମାଧାନ କରିବା ପାଇଁ କ୍ରମାଗତ ଭାବେ ବ୍ରିଗେଡ୍ କମାଣ୍ଡର ସ୍ତରୀୟ ଆଲୋଚନା ମଧ୍ୟ କରାଯାଇଛି ।
ଯଦିଓ ଏହି ଆଲୋଚନାରେ ଏଯାବତ୍ କୌଣସି ସମାଧାନ ବାହାରି ପାରିନାହିଁ । ଏହାପୂର୍ବରୁ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ ଓ ସେନା ପ୍ରମୁଖ ଜେନେରାଲ୍ ନରୱଣେ ମଧ୍ୟ ପୂର୍ବ ଲଦାଖରେ ସୁରକ୍ଷା ସ୍ଥଇତିର ସମୀକ୍ଷା ପାଇଁ ଲଦାଖ ଓ ଲେହ ଗସ୍ତ କରିଥିଲେ ।
ତେବେ ଗତ ଅଗଷ୍ଟ ୨୯ ଓ ୩୦ ତାରିଖ ରାତିରେ ଚୀନ୍ ସେନା ପକ୍ଷରୁ ପେଙ୍ଗୋଙ୍ଗ ହ୍ରଦ ନିକଟରେ ବହୁ ଯବାନଙ୍କୁ ମୁତୟନ କରିଛି । ଯେଉଁଥିପାଇଁ ଭାରତୀୟ ସେନା ମାନଙ୍କୁ ପୂର୍ବ ଲଦାଖରେ ଏଲଏସି ଉପରେ ଚୀନର ବଢୁଥିବା ଗତିବିଧି ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଥିବା ସୂଚନା ମିଳିଛି ।
ସୂଚନାଥାଉ କି, ଭାରତ ଓ ଚୀନ୍ ମଧ୍ୟରେ ଚାଲିଥିବା ସୀମା ବିବାଦ ଫଳରେ ଗତ ଜୁନ୍ ୧୫ ତାରିଖରେ ଗଲୱାନ ଘାଟିରେ ଉଭୟ ଦେଶର ସୈନିକଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ଉପୁଜିଥିଲା । ଯାହାଫଳରେ ଭାରତର ପ୍ରାୟ ୨୦ ଯବାନ ସହିଦ ହୋଇଥିବା ବେଳେ ଚୀନର ସୈନ୍ୟମାନେ ମଧ୍ୟ ମୃତାହତ ହୋଇଥିଲେ ।