ବୁଲା କୁକୁରଙ୍କ ପାଇଁ ଫେଲ୍ ମାରିଲା ଲୁଟ୍ ଉଦ୍ୟମ, ଗାଡିରୁ ପଡି ଲୁଟେରା ଆହତ
ଭୁବନେଶ୍ବର, (ଓଡିଶା ଟାଇମ୍): ରାଜଧାନୀ ଭୁବନେଶ୍ୱରରେ ଏକ କୌତୁହଳପୂର୍ଣ୍ଣ ଘଟଣା ଘଟି ଯାଇଛି । ଯାହାର ସମ୍ପୂର୍ଣ୍ଣ ଭିଜୁଆଲ୍ ଏକ ସିସିଟିଭିରେ କଏଦ ହୋଇଛି । କିଛି ବୁଲା କୁକୁର ଏକ ଲୁଟ୍ ଉଦ୍ୟମକୁ ଫେଲ୍ କରିବାରେ ସଫଳ ହୋଇଛନ୍ତି।
ଘଟଣାଟି ସ୍ଥାନୀୟ ଅଞ୍ଚଳରେ ରୋଚକ ଚର୍ଚ୍ଚାର ବିଷୟ ପାଲଟିଛି । ଖଣ୍ଡଗିରି ଥାନା ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି । ଲୁଟେରା ଛାଡ଼ି ପଳାଇଥିବା ଏକ ଖେଳନା ବନ୍ଧୁକ ଓ ହେଲ୍ମେଟ୍କୁ ସାଙ୍ଗରେ ଧରି ଫେରିଛି । ଘଟଣାସ୍ଥଳରୁ ମିଳିଥିବା ଜଣେ ବ୍ୟକ୍ତିଙ୍କ ଆର୍ସି ବୁକ୍ରୁ ଲୁଟେରାଙ୍କୁ ଧରିବାକୁ ଚେଷ୍ଟା ଚଳାଇଛି ।
ସୂଚନାଯୋଗ୍ୟ ଯେ, କଲୋନିର ପ୍ଲଟ୍ ନମ୍ବର ଏଲ୍ ୩୨୫ ସାମ୍ନା ରାସ୍ତାରେ ମେଞ୍ଚାଏ ରକ୍ତ ପଡିଥିବା ସକାଳୁ ଦେଖିଥିଲେ । ଭୋର୍ ସାଢ଼େ ୪ଟା ବେଳେ ସେଠାକାର କିଛି ବୁଲା କୁକୁର ଖୁବ୍ ଜୋର୍ରେ ଭୁକୁଥିଲେ । ଖୁବ୍ ଜୋରରେ ଏକ ଶଦ୍ଦ ହୋଇଥିବା ବି ସେମାନେ ଶୁଣିଛନ୍ତି ।
ପୁଲିସ ଏଥିରୁ ଅନୁମାନ କରୁଛି, ଲୁଟେରାମାନେ ସେଠାରେ ମର୍ଣିଂ ୱାକରଙ୍କୁ ଲୁଟିବା ପାଇଁ ପ୍ଲାନିଂ କରିଥିଲେ । ଯାହାକୁ କୁକୁରଦଳ ଭଣ୍ଡୁର କରି ଦେଇଛନ୍ତି । କୁକୁରମାନେ ଗୋଡ଼ାଇବା ଯୋଗୁଁ ଲୁଟେରାଙ୍କ ଦୁର୍ଘଟଣା ଘଟିଛି । ରକ୍ତାକ୍ତ ଅବସ୍ଥାରେ ସେମାନେ ଖସି ପଳାଇଛନ୍ତି । କିନ୍ତୁ ବନ୍ଧୁକ ନେବାକୁ ଭୁଲି ଯାଇଛନ୍ତି । ଜବତ ଆର୍ସି ବୁକ୍ରୁ ଲୁଟେରାଙ୍କୁ ଧରିବାକୁ ଉଦ୍ୟମ ଚାଲିଥିବା ଥାନା ଅଧିକାରୀ ରଶ୍ମିରଞ୍ଜନ ମହାପାତ୍ର କହିଛନ୍ତି ।