ଦେଶରେ ବଢୁଛି କରୋନା ସଂକ୍ରମଣ; ଦିନକରେ ୬୦,୯୭୫ ଆକ୍ରାନ୍ତ ଓ ୮୪୮ ମୃତ
ନୂଆଦିଲ୍ଲୀ, (ଓଡ଼ିଶା ଟାଇମ୍): ଦେଶରେ କରୋନା ଭାଇରସ୍ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଯାହା ଫଳରେ ଭାରତରେ ସଂକ୍ରମିତ ରୋଗୀଙ୍କ ସଂଖ୍ୟା ବର୍ତ୍ତମାନ ୩୧ ଲକ୍ଷରୁ ଅଧିକ ଟପିଛି।
ଦେଶରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫୮,୩୯୦ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ ସର୍ବାଧିକ ୬୦,୯୭୫ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୮୪୮ ଜଣଙ୍କର ମୃତ୍ୟୁ ଘଟିଛି। ବର୍ତ୍ତମାନ ଆକ୍ଟିଭ୍ କେସ୍ ୭,୦୪,୩୪୮ ରହିଛି।
ଏହା ବ୍ୟତୀତ ୨୪ ଲକ୍ଷ ୦୪ ହଜାର ୫୮୫ ଜଣ କରୋନାରୁ ଆରୋଗ୍ୟ ଲାଭ କରିଥିବା କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସେହିପରି ମହାରାଷ୍ଟ୍ର ଓ ଦିଲ୍ଲୀରେ ସବୁଠାରୁ ଅଧିକ ବ୍ୟକ୍ତି ସଂକ୍ରମିତ ହୋଇଛନ୍ତି। ମହାରାଷ୍ଟ୍ରରେ ଏଯାଏଁ ୧୬୮୪୪୩ ଲକ୍ଷରୁ ଅଧିକ ଆକ୍ଟିଭ କେସ୍ ରହିଥିବା ବେଳେ ଦିଲ୍ଲୀରେ ୧୧ ହଜାର ୬୨୬ରୁ ଅଧିକ ବ୍ୟକ୍ତି ଆକ୍ରାନ୍ତ ଥିବା ସୂଚନା ମିଳିଛି।
ବର୍ତ୍ତମାନ ସୁଦ୍ଧା ଦିଲ୍ଲୀରେ ୪୩୧୩ ଜଣ ମୃତ୍ୟୁ ବରଣ କରିଥିବା ବେଳେ ମହାରାଷ୍ଟ୍ରରେ ଏହି ସଂଖ୍ୟା ୨୨ ହଜାର ୪୬୫ ରହିଛି ।