ଆମେରିକା ରାଷ୍ଟ୍ରପତିଙ୍କ ସାନ ଭାଇ ରବର୍ଟ ଟ୍ରମ୍ପ୍ଙ୍କ ପରଲୋକ
ୱାସିଂଟନ, (ଓଡିଶା ଟାଇମ୍) : ନ୍ୟୁୟର୍କ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସାନ ଭାଇ ରବର୍ଟ ଟ୍ରମ୍ପଙ୍କର ୭୧ ବର୍ଷ ବୟସରେ ପରଲୋକ ଘଟିଛି। ଏ ସମ୍ପର୍କରେ ହ୍ବାଇଟ୍ ହାଉସ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି। ନ୍ୟୁୟର୍କର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଶନିବାର ବିଳମ୍ବିତ ରାତିରେ ତାଙ୍କର ମୃତ୍ୟୁ ହୋଇଛି। କିନ୍ତୁ କେଉଁ କାରଣ ପାଇଁ ରବର୍ଟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ତାହା ବିବୃତିରେ କୁହାଯାଇ ନାହିଁ। ରବର୍ଟ ଆମେରିକାର ଜଣେ ପ୍ରଖ୍ୟାତ ବ୍ୟବସାୟୀ। ଟ୍ରମ୍ପ ଭାଇ ଭଉଣୀମାନଙ୍କ ମଧ୍ୟରେ ରବର୍ଟ ସବୁଠୁ ସାନ ଥିଲେ। ସେ ରାଷ୍ଟ୍ରପତି ଟ୍ରମ୍ପଙ୍କର ଅତି ନିକଟତର ରହିଥିଲେ।
ରବର୍ଟ ଏବଂ ଡୋନାଲ୍ଡ ଟ୍ରମ୍ପଙ୍କର ବ୍ୟକ୍ତିତ୍ଵ ସମ୍ପୂର୍ଣ୍ଣ ଭିନ୍ନ ରହିଥିଲା। ରାଷ୍ଟ୍ରପତି ଟ୍ରମ୍ପ ଏକଦା କହିଥିଲେ, ତାଙ୍କ ସାନ ଭାଇ ତାଙ୍କ ତୁଳନାରେ ବହୁତ ଶାନ୍ତ ଏବଂ ସରଳ। ତାଙ୍କ ଜୀବନରେ ରବର୍ଟଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ରହିଥିଲା। ତାଙ୍କୁ ସେ ଶ୍ରଦ୍ଧାପୂର୍ବକ ‘ହନୀ’ ନାମରେ ଡାକନ୍ତି। ରବର୍ଟ ନିଜର ବ୍ୟାବସାୟିକ ଜୀବନ ୱାଲଷ୍ଟ୍ରିଟ୍ର କର୍ପୋରେଟ୍ କ୍ଷେତ୍ରରୁ ଆରମ୍ଭ କରିଥିଲେ
ଡୋନାଲ୍ଡ ଟ୍ରମ୍ପ ଏକ ବିବୃତ୍ତିରେ କହିଛନ୍ତି, ‘ମୋତେ ଦୁଃଖ ମନରେ କହିବାକୁ ପଡୁଛି ଯେ ମୋ ଭାଇ ମୋର ଅତି ନିକଟତର ଥିଲେ । ସେ କେବଳ ମୋର ଭାଇ ନୁହଁନ୍ତି ବରଂ ସବୁଠୁ ଭଲ ବନ୍ଧୁ ମଧ୍ୟ ଥିଲେ । ସେ ସବୁବେଳେ ମୋ ହୃଦୟରେ ବଞ୍ଚି ରହିବେ । ରବର୍ଟ, ମୁଁ ତୁମକୁ ଭଲ ପାଏ।’
ଏଭଳି ଦୁଃଖଦ ଘଟଣା ସେହି ସମୟରେ ଘଟିଛି ଯେତେବେଳେ ଡୋନାଲ୍ଡ ଟ୍ରମ୍ପ କ୍ରମାଗତ ଭାବେ ଦ୍ବିତୀୟ ଥର ପାଇଁ ଆମେରିକାର ରାଷ୍ଟ୍ରପତି ହେବାକୁ ଉଦ୍ୟମ ଜାରି ରଖିଛନ୍ତି । କୁହାଯାଉଛି ଯେ ଟ୍ରମ୍ପଙ୍କ ନିର୍ବାଚନ ଅଭିଯାନ ଟିମ୍ ଭାରତୀୟ-ଆମେରିକୀୟ, ଶିଖ୍, ମୁସଲମାନ ଏବଂ ଅନ୍ୟ ଦକ୍ଷିଣ ଏସୀୟ ସମ୍ପ୍ରଦାୟର ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ୪ଟି ନୂଆ ସଂଗଠନ ଗଠନ କରିଛନ୍ତି।