ରାଜ୍ୟରେ କୋଠାବାଡ଼ି ନିର୍ମାଣ ନିୟମରେ ପରିବର୍ତ୍ତନ
ଭୁବନେଶ୍ବର, (ଓଡିଶା ଟାଇମ୍) : କୋଠାବାଡ଼ି ନିର୍ମାଣ ନିୟମରେ ପରିବର୍ତ୍ତନ ହୋଇଛି । ବହୁତଳ ଅଟ୍ଟାଳିକା ନିର୍ମାଣ ପାଇଁ ନିୟମ କୋହଳ କରିଛନ୍ତି ସରକାର । ଏବେ ୮ ଟି ଘର ଥିବା ଅଟ୍ଟାଳିକାକୁ ଆପାର୍ଟମେଣ୍ଟ କୁହାଯାଇପାରିବ । ପୂର୍ବରୁ ୪ଟି ଘର ଥିବା ଅଟ୍ଟାଳିକାକୁ ଆପର୍ଟମେଣ୍ଟ କୁହାଯାଉଥିଲା । ଖର୍ଦ୍ଦିଯୋଗ୍ୟ ଫ୍ଲୋର ଏରିଆ ରେସିଓ ପାଇଁ ଦେୟ ମୂଲ୍ୟ ୫୦ ପ୍ରତିଶତ କମିଛି । ବର୍ତ୍ତମାନ ଜମି ମୂଲ୍ୟର ୨୫ଭାଗ ଅଧା ମୂଲ୍ୟରେ ଉପଲବ୍ଧ ହେବ । ଏହାସହ ପୁରୁଣା ଘରର ନବୀକରଣ ପାଇଁ ଆଉ ଅନୁମତି ଦରକାର ପଡ଼ିବନି । ମଡ଼େଲ ପ୍ଲାନ ଅନୁମତି ପାଇଁ ବାରମ୍ବାର ଦୌଡ଼ିବାକୁ ପଡ଼ିବ ନାହିଁ । ଟଙ୍କା ଦାଖଲ କରି ଅଣ୍ଡରଟେକିଂ ଦେଇ କାମ ଆରମ୍ଭ କରିପାରିବେ । କୋଠାବାଡ଼ି ଓ ଗୋଦାମ ଗୃହ ପାଇଁ ପାର୍କିଂ ସ୍ଥାନ ୯୦ ପ୍ରତିଶତ ହୋଇଛି । ଏନେଇ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।
କୋଠାବାଡ଼ି ନିର୍ମାଣ ନିୟମରେ ପରିବର୍ତ୍ତନ ସହ ନିୟମାବଳୀକୁ ସମ୍ପୂର୍ଣ୍ଣ ଲୋକାଭିମୁଖୀ ଓ ପ୍ରଗତିଶୀଳ କରିବା ପାଇଁ ଉଦ୍ୟମ ହୋଇଛି । ଏଥିପାଇଁ ଅନେକ ଦିଗରେ ନିୟମକୁ କୋହଳ କରାଯିବା ସହ ଅନେକ ରିହାତି ଓ ପ୍ରୋତ୍ସାହନ ବ୍ୟବସ୍ଥା କରାଯାଇଛି । ସମସ୍ତ ବର୍ଗର ଅଟ୍ଟାଳିକା ନିର୍ମାଣ ନିମନ୍ତେ ସେବ୍ୟାକ୍ ନିୟମକୁ କୋହଳ କରାଯାଇଛି । କମ ବିପଦପୂର୍ଣ୍ଣ ବିଲ୍ଡିଂ ଉପରେ ସର୍ବାଧିକ FAR ପ୍ରତିବନ୍ଧକକୁ ହଟାଇ ଦିଆଯାଇଛି । ବାସଗୃହ ପାଇଁ ଉଦ୍ଦିଷ୍ଟ କୋଠାବାଡି ବର୍ତ୍ତମାନ ବ୍ୟବସାୟିକ ପ୍ରତିଷ୍ଠାନ ନିମନ୍ତେ ବ୍ୟବହାର ହୋଇପାରିବ । ଗୃହ ନିର୍ମାଣ କ୍ଷେତ୍ରରେ ଅଧିକରୁ ଅଧିକ ପୁଞ୍ଜି ବିନିଯୋଗକୁ ଆକର୍ଶିତ କରିବା ପାଇଁ ରାସ୍ତା, ପାର୍କିଂ ଓ ସେଟବ୍ୟାକ ନିୟମକୁ କୋହଳ କରାଯାଇଛି । ସହରାଞ୍ଚଳରେ ସମସ୍ତଙ୍କ ପାଇଁ ଘର ନିତି ୨୦୧୫ରେ ସଂଶୋଧନ କରାଯାଇଛି ।
ସହରମାନଙ୍କରେ ବସବାସ କରୁଥିବା ସମସ୍ତ ବର୍ଗର ବ୍ୟକ୍ତି ବିଶେଷଙ୍କ ସମସ୍ୟା ଦିଗରେ ଅନେକ ନିୟମ ଗୁଡ଼ିକୁ କୋହଳ କରାଯାଇଛି ଓ ଅନେକ ରିହାତି ତଥା ପ୍ରୋତ୍ସାହନର ବ୍ୟବସ୍ଥା କରାଯାଇଛି। ଏହା କେବଳ ଛୋଟ ଘରୋଇ କୋଠା ଗୁଡ଼ିକୁ ଯୋଜନା, ନିର୍ମାଣ ଏବଂ ଦଖଲ କରିବା ସହଜ କରିବ ନାହିଁ ବରଂ ସାଧାରଣଭାବେ ବଡ଼ ବଡ଼ ବାସଗୃହ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରୋତ୍ସାହନ ଯୋଗାଇବ ଏବଂ ବାସଗହୃ ସମସ୍ତଙ୍କ ପାଇଁ ସୁଲଭ ହେବ। ସ୍ୱଳ୍ପ ବିପଦପୂର୍ଣ୍ଣ ଅଟ୍ଟାଳିକା ପାଇଁ ୧୦୮ ଟି ପୂର୍ବ ଅନୁମୋଦିତ ଡ଼ିଜାଇନ୍ ସହଜରେ ଉପଲବ୍ଧ କରାଯାଇଛି ଫଳରେ ସ୍ଥପତି ବା ବୈଷୟିକ କୌଶଳଧାରୀ ବ୍ୟକ୍ତି ଏବଂ ଯୋଜନା କର୍ତୃପକ୍ଷଙ୍କ ଉପରେ ନିର୍ଭରଶୀଳତା ହ୍ରାସ ପାଇବ ଏବଂ ଏହି ନିୟମାବଳୀ ଯୋଗୁଁ ଯୋଜନା ଗୁଡ଼ିକ ତୁରନ୍ତ ଅନୁମୋଦନ ପାଇବ।