ଅଭିନେତା ସୁଶାନ୍ତ ସିଂହ ମୃତ୍ୟୁ ମାମଲାର ହେବ ସିବିଆଇ ତଦନ୍ତ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ସିବିଆଇ ଯାଞ୍ଚ କରାଯିବ । ଏସମ୍ପର୍କରେ ବିହାର ସରକାର କେନ୍ଦ୍ର ପାଖରେ ସୁପାରିଶ କରିଥିଲେ, ଯାହାକୁ ମାନି ନେଇଛନ୍ତି କେନ୍ଦ୍ର ସରକାର ।

ସିବିଆଇ ଯାଞ୍ଚ ଦାବି ସମ୍ପର୍କିତ ଏକ ଯାଚିକା ବୁଧବାର ଦିନ ସୁପ୍ରିମକୋର୍ଟରେ ଶୁଣାଣି ହେଉଥିବା ସମୟରେ କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ୍ ତୁଷାର ମେହେତା ଉପସ୍ଥିତ ଥିଲେ ।

ସେଠାରେ ତୁଷାର କହିଥିଲେ ଯେ କେନ୍ଦ୍ର ବିହାର ସରକାରର ସୁପାରିଶକୁ ମାନି ନେଇଛନ୍ତି ଏବଂ ଏହି ମାମଲାକୁ ସିବିଆଇକୁ ଟ୍ରାନ୍ସଫର୍ କରି ଦିଆଯାଇଛି । ତେଣୁ କରି ଏହି ଯାଚିକାରେ ଆଉ କିଛି ନାହିଁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଗୋଟିଏ ପକ୍ଷ ବିହାର ପୋଲିସ ମାମଲାର ତଦନ୍ତ କରୁ ଚାହୁଁଥିବା ବେଳେ ଆଉ ଗୋଟିଏ ପକ୍ଷ ମୁମ୍ବାଇ ପୋଲିସ ତଦନ୍ତ କରୁ ବୋଲି ଚାହୁଁଛନ୍ତି । ସେଥିପାଇଁ ଏବେ ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଇଛି ଏବଂ ଏବେ ଏହି ମାମଲାରୁ ମୁମ୍ବାଇ ପୋଲିସ ଦୂରେଇ ରହୁ । କାରଣ ତାଙ୍କ ବିରୋଧରେ ପ୍ରମାଣ ନଷ୍ଟ କରାଯାଉଥିବା ଅଭିଯୋଗ ହେଉଛି ।

ସେହିପରି ବିଚାରପତି ହୃଷିକେଶ ରାୟଙ୍କ ପୀଠ କହିଛନ୍ତି ଯେ ଅଭିନେତା ଜଣକ ଖୁବ୍ ପ୍ରତିଭାବାନ୍ ଥିଲେ । ଯେଉଁଥିପାଇଁ ତାଙ୍କର ମୃତ୍ୟୁର କାରଣ ସାମ୍ନାକୁ ଆସିବା ଦରକାର । ଏହାଛଡା କୋର୍ଟରେ ରିୟା ଆବେଦନ କରିଥିବା ଯାଚିକା ନେଇ ଅଦାଲତ ସମସ୍ତ ପକ୍ଷଙ୍କୁ ୩ ଦିନ ଭିତରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ମାମଲାରେ ଆଗାମୀ ସପ୍ତାହରେ ଶୁଣାଣି କରାଯିବ । ନିକଟ ଅତୀତରେ ସୁଶାନ୍ତଙ୍କୁ ଆତ୍ମହତ୍ୟା ପାଇଁ ଗାର୍ଲଫ୍ରେଣ୍ଡ ରିୟା ଉସୁକାଇ ଥିବା ନେଇ ପିତା କେେ କେ ସିଂହ ରିୟା ଚକ୍ରବର୍ତ୍ତୀ ଙ୍କ ବିରୋଧରେ ଥାନାରେ ଏଫଆଇଆର୍ ମଧ୍ୟ କରିଥିଲେ ।

ଏହା ପରେ ବିହାର ପୋଲିସର ତଦନ୍ତ ନିରପେକ୍ଷ ନୁହେଁ ଦର୍ଶାଇ ରିୟା କେସକୁ ମୁମ୍ବାଇ ଟ୍ରାନ୍ସଫର କରିବା ପାଇଁ ଜୁଲାଇ ୩୦ ତାରିଖରେ କୋର୍ଟରେ ଆବେଦନ କରିଥିଲେ ।

ସୂଚନାଯୋଗ୍ୟ, ଗତ ଜୁନ୍ ୧୪ ତାରିଖରେ ବଲିଉଡର ଏହି ଅଭିନେତା ଜଣକ ମାତ୍ର ୩୪ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ । ସେ ଡିପ୍ରେସନ ଯୋଗୁଁ ଏପରି ପଦକ୍ଷେପ ନେଇଥିବା କୁହାଯାଉଛି ।

Leave a Reply

Your email address will not be published.