ରାମ୍, ରହିମ୍ ଓ ରାଜନୀତି

ବରେନ୍ଦ୍ର କୃଷ୍ଣ ସାହୁ

ବରେନ୍ଦ୍ର କୃଷ୍ଣ ସାହୁ

ଇତିହାସର ପୁନରାବୃତ୍ତି ନା ସୃଷ୍ଟି ହେଲା ନୂଆ ଇତିହାସ ? ଅଯୋଧ୍ୟାରେ ରାମ ମନ୍ଦିରର ଶିଳାନ୍ୟାସ । ଭାରତ ଇତିହାସରେ ଯୋଡ଼ି ହେଲା କି ଏକ ନୂଆ ଅଧ୍ୟାୟ ? କାରଣ ଉଡ଼ା ଇତିହାସର ଅଯୋଡ଼ା ତଥ୍ୟକୁ ନେଇ ବେଶ୍ କିଛି ବର୍ଷ ଧରି ବିବାଦୀୟ ଥିବା ଅଯୋଧ୍ୟା ସ୍ଥଳ, ସୁପ୍ରିମକୋର୍ଟଙ୍କ ରାୟ ପରେ ନିର୍ବିବାଦୀୟ ହୋଇଥିବା ବେଳେ ମନ୍ଦିର ପାଇଁ ଶୁଭ ଇଟା ପକାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ଅଲୌକିକ ହେଉ ବା ଷଡ଼ଷନ୍ତ୍ର… 1949 ମସିହାରୁ ଗୋଟିଏ ସ୍ଥାନରେ ଥିଲେ ରାମ୍, ଆଉ ରହିମ୍ । କିନ୍ତୁ ଏବେ ଠାରୁ ପୂରା ଏରିଆ ରାମଙ୍କର । ରହିମ୍ ଅଯୋଧ୍ୟାରେ ରହିବେନି କିନ୍ତୁ ଅଯୋଧ୍ୟା ଜିଲ୍ଲାରେ ରହିବେ । ରାମଙ୍କ ଠାରୁ 25 କିଲୋମିଟର ଦୂର ଫୈଜାବାଦ ସଦର ତହସିଲ ଅନ୍ତର୍ଗତ ଧନିପୁର ଗାଁରେ 5 ଏକର ଜାଗାରେ ହେବ ରହିମଙ୍କ ମସଜିଦ୍ । ରାମଙ୍କ ମନ୍ଦିରଶିଳାନ୍ୟାସର 3 ଦିନ ପୂର୍ବରୁ, ଗତ ଶନିବାର ଅଯୋଧ୍ୟା ଜିଲ୍ଲା ପ୍ରଶାସନ, ରହିମଙ୍କ ପାଇଁ ସୁନି ୱାକଫ୍ ବୋର୍ଡକୁ ଜମି ହସ୍ତାନ୍ତର କରି ସାରିଛି । ହେଲେ ଏଠି ପ୍ରଶ୍ନ, ରାମ ଓ ରହିମଙ୍କ ପୁନର୍ବାସ ଏବଂ ଥଇଥାନ ପରେ ରାଜନୀତି ଥମିଯିବ ତ ? 1990ରେ ଶୀତତାପ ନିୟନ୍ତ୍ରିତ ଟୟୋଟା ଗାଡ଼ିରେ ରଥଯାତ୍ରା କରି ସାରା ଦେଶରେ ରାମ ମନ୍ଦିର ନିର୍ମାଣରଉଦ୍ରେକ କରାଇଥିଲେ ସେତେବେଳେର ବିଜେପି ସଭାପତି ଲାଲକୃଷ୍ଣ ଆଡଭାନି । ଆଉ କହିଥିଲେ, “ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ହେବା ପରେ ହିଁ ହିନ୍ଦୁମାନେ ଶାନ୍ତିରେ ଶୋଇବେ” । ବିଶ୍ୱହିନ୍ଦୁ ପରିଷଦର ନେତାଏ କହିଥିଲେ, “ଅତୀତରେ ହିନ୍ଦୁମାନେ ଥିଲେ ଅଣପୁରୁଷା, ଯେଉଁଥି ପାଇଁ ମୁସଲିମ୍ ଶାସକମାନେ ସେମାନଙ୍କର ଅଧିକାଂଶ ଧର୍ମସ୍ଥଳୀକୁ ଭାଙ୍ଗିରୁଜି ନିଶ୍ଚିହ୍ନ କରି ଦେଇଥିଲେ” । ଏବେ କିନ୍ତୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କାମ ଆରମ୍ଭ ହୋଇଛି । ଆମେ କହି ପାରିବା କି, ଏବେ ଠାରୁ ହିନ୍ଦୁମାନେ ଶାନ୍ତିରେ ଶୋଇବେ ଏବଂ ହିନ୍ଦୁତ୍ୱ ଫେରି ପାଇଲା ତାର ପୌରୁଷତ୍ୱ ? ଦେଶରେ ପଡ଼ିଲା କି ରାମ ରାଜ୍ୟର ଭିତ୍ତି ? 

ରାଜନୀତି ଓ ଧର୍ମ:

ଜର୍ମାନୀ ଦାର୍ଶନିକ କାର୍ଲ ମାକ୍ସ କହିଥିଲେ, ଧର୍ମ ହିଁ ଲୋକଙ୍କ ପାଇଁ ଅଫିମ । ଯଦିଓ ସମ୍ବିଧାନ କହୁଛି, ଭାରତ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର, ତଥାପି ଆମ ଦେଶରେ ଧର୍ମ ଓ ରାଜନୀତି ପରସ୍ପରର ଯେ ପରିପୂରକ, ତାହା ଅସ୍ୱୀକାର କରିହେବନି । ଖାସ୍ ସେଇଥି ପାଇଁ ବୋଧେ, 1980 ଦଶକରେ ବିଶ୍ୱହିନ୍ଦୁ ପରିଷଦର ମାନସ ସନ୍ତାନ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗକୁ ଆପଣାଇ ନେଲା ବିଜେପି । 1989 ସାଧାରଣ ନିର୍ବାଚନରେ ବିଜେପିକୁ ମିଳିଲା 89 ଆସନ । ଯାହା ଫଳରେ ଭି. ପି. ସିଂହଙ୍କ ନେତୃତ୍ୱାଧୀନ ଜାତୀୟ ସାମ୍ମୁଖ୍ୟ ସରକାରକୁ ବାହାରୁ ସମର୍ଥନ ଦେଲା ବିଜେପି । କିନ୍ତୁ ଷଣ୍ଢ ପୂରାଇ ଦେଲେ ସେତେବେଳରଜନତା ଦଳ ନେତା ତଥା ବିହାର ମୁଖ୍ୟମନ୍ତ୍ରୀ ଲାଲୁପ୍ରସାଦ ଯାଦବ । ପରିସ୍ଥିତି ଏମିତି ହେଲା ଯେ, ମଣ୍ଡଳ କମିଶନଙ୍କ ପ୍ରସ୍ତାବ ଲାଗୁ କରାଇ ଚାକିରି କ୍ଷେତ୍ରରେ, ଜାତି ଆଧାରରେ 27 ପ୍ରତିଶତ ସ୍ଥାନ ସଂରକ୍ଷଣ ଦେବାକୁ ବାଧ୍ୟ ହେଲେ ସେତେବେଳର ପ୍ରଧାନମନ୍ତ୍ରୀ ଭି. ପି. ସିଂହ । ଯାହା ସିଧାସଳଖ ବିଜେପିର ଭୋଟ୍ ବ୍ୟାଙ୍କ ଉପରେ ପ୍ରଭାବ ପକାଇଲା । ଯେଉଁଥି ପାଇଁ ସେପ୍ଟେମ୍ବର 1990ରେ ବିଜେପିର ହିନ୍ଦୁତ୍ୱ ଆଭିମୁଖ୍ୟକୁ ଜୋରଦାର କରିବାକୁ ‘ରାମ ରଥ ଯାତ୍ରା’ କରି ଆଗକୁ ଆସିଲେ ଦଳର ସଭାପତି ଲାଲକୃଷ୍ଣ ଆଡଭାନି । ମଣ୍ଡଳ କମିଶନ ପାଇଁ ହିଁ 1989 ଶେଷ ଆଡୁ 1991 ପର୍ଯ୍ୟନ୍ତ ଦେଶରେ ଅସ୍ଥିର ସରକାର ଲାଗି ରହିଲା । ଯେଉଁଥି ପାଇଁ 1991 ନିର୍ବାଚନ ହେଲା ‘ମନ୍ଦିର ବନାମ ମଣ୍ଡଳ’ । କେନ୍ଦ୍ରରେ ବିଜେପି, ସରକାର ଗଢ଼ି ପାରିଲାନି ସତ, କିନ୍ତୁଉତ୍ତର ଭାରତରେ ଦଳର ପ୍ରଭାବ ଦେଖିବାକୁ ମିଳିଲା ଏବଂ ଦକ୍ଷିଣ ଭାରତର କିଛି ରାଜ୍ୟରେ ସ୍ଥିତି ଜାହିର୍ କଲା । ଉତ୍ତର ପ୍ରଦେଶକୁ ମୁଲାୟମଙ୍କ ସମାଜବାଦୀ ପାର୍ଟି ହାତରୁ ଛଡ଼ାଇ ନେଲା ବିଜେପି । ଆଡଭାନିଙ୍କୁ ଲାଲୁ ଯାଦବ ଏବଂ ପାଖାପାଖି ଦେଢ଼ ଲକ୍ଷ କର ସେବକଙ୍କୁ ମୁଲାୟମ୍ ସିଂହ ଯାଦବ ଗିରଫ କଲେ । ତଥାପି ହଜାର ହଜାର କର ସେବକ ବାବ୍ରି ମସଜିଦ୍ ପାଖରେ ପହଞ୍ଚିଗଲେ । ପୋଲିସର କାର୍ଯ୍ୟାନୁଷ୍ଠାନ ପରେ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ସାମ୍ପ୍ରଦାୟିକ ହିଂସା ଦେଖାଦେଲା, ବହୁ ଜୀବନ ବି ଗଲା । 1991 ନିର୍ବାଚନ ପରେ ମଧ୍ୟ ବିହାର ଏବଂ ଉତ୍ତର ପ୍ରଦେଶରେ ଦଳୀୟ ପ୍ରଚାର ନାଁରେ ରାମ ମନ୍ଦିର ନିର୍ମାଣ ପ୍ରସଙ୍ଗକୁ ବଞ୍ଚାଇ ରଖିଥିଲେ ଲାଲକୃଷ୍ଣ ଆଡ଼ଭାନି । ଆଉ 1992 ଡିସେମ୍ବର 6 ତାରିଖରେ ବାବ୍ରି ମସଜିଦ୍ ଭାଙ୍ଗି, ଦୀର୍ଘ ଦିନର ଉଦ୍ଦେଶ୍ୟ ସଫଳ କଲେଆଡଭାନି, ମୁରଲୀ ମନୋହର ଯୋଶୀ ଏବଂ ଉମା ଭାରତୀ ଓଗେର… । 

​ଏସବୁ ଘଟଣା କ୍ରମକୁ ଅନୁଧ୍ୟାନ କଲେ, ସ୍ପଷ୍ଟ ଜଣାପଡୁଛି ଯେ, ମଣ୍ଡଳ କମିଶନ ହିଁ 1990ରୁ ମନ୍ଦିର ନିର୍ମାଣର ଭିତ୍ତି ପକାଇ ସାରିଥିଲା । ବର୍ତ୍ତମାନ ଜେଲ୍ ଭିତରେ ଥାଇ ଲାଲୁ ଯାଦବ, ଧର୍ମ ନିରପେକ୍ଷତାର ମନ୍ତ୍ର ଯେତେ ଜପୁଥିଲେ ବି, ପରୋକ୍ଷରେ ରହିଛି ତାଙ୍କର ଶେୟାର୍ । ସେପଟେ 30 ବର୍ଷ ତଳେ ଆଡଭାନି ଆରମ୍ଭ କରିଥିବା ଅଭିଯାନ, ବିଜେପିକୁ ପୂର୍ବାପେକ୍ଷା ଯଥେଷ୍ଟ ମଜଭୁତ୍ କରିଛି, କିନ୍ତୁ ଦୁର୍ବଳ ହୋଇ ଯାଇଛନ୍ତି ନିଜେ ଆଡଭାନି । ବର୍ତ୍ତମାନ ସୁଦ୍ଧା କରୋନା ତାଙ୍କ ଛାଇ ମାଡିନି, ତଥାପି ଭୂମି ପୂଜନ ଉତ୍ସବକୁ ସେସଶରୀରେ ଆସିପାରି ନାହାନ୍ତି । ଆଡଭାନିଙ୍କ ଭଳି ମୁରଲୀ ମନୋହର ଯୋଶୀ ମଧ୍ୟ ଭିର୍ଚୁଆଲ୍ ପଦ୍ଧତିରେ ଉତ୍ସବରେ ଯୋଗ ଦେବେ । ତେବେ ପ୍ରଧାନମନ୍ତ୍ରୀଙ୍କ ମଙ୍ଗଳ ମନାସୀ ଉତ୍ସବକୁ ଆସିବେନି ବୋଲି ନିଜ ଆଡୁ ମନା କରି ଦେଇଛନ୍ତି ଉମାଭାରତୀ ।

ବାବା ସୋମନାଥ ଓ ଭଗବାନ ଶ୍ରୀରାମ:

ମାତା ସୀତାଙ୍କୁ ରାବଣ କବଳରୁ ଉଦ୍ଧାର କରିବାକୁ ଭଗବାନ ଶ୍ରୀରାମ, ସମୁଦ୍ରରେ ସେତୁ ବାନ୍ଧିଥିଲେ । ଆଉ ଏହି ସେତୁ ନିର୍ମାଣ ପୂର୍ବରୁ ଭଗବାନ ଶିବଙ୍କ ଠାରୁ ପରାମର୍ଶ ଏବଂ ଉପଦେଶ ନେଇଥିଲେ । ସଂଯୋଗ ବଶତଃ ଆଡଭାନିଙ୍କ ରାମ ରଥ ଯାତ୍ରା ମଧ୍ୟ ଦେଶର ପ୍ରମୁଖ ଶୈବ ପୀଠ ସୋମନାଥରୁ ହିଁ ଆରମ୍ଭ ହୋଇଥିଲା । 1990 ସେପ୍ଟେମ୍ବର 25 ତାରିଖରେ ଗୁଜରାଟର ସୋମନାଥ ପୀଠରୁ ହିଁ ଆରମ୍ଭ ହୋଇଥିଲା ଏହି ଯାତ୍ରା । ଇତିହାସ କହୁଛି, ସୋମନାଥ ମନ୍ଦିର ବି ଏକାଧିକ ଥର ବିଭିନ୍ନ ମୁସଲିମ୍ ଶାସକଙ୍କ ଆକ୍ରମଣର ଶିକାର ହୋଇଛି । କିନ୍ତୁ ଦେଶ ସ୍ୱାଧୀନ ହେବାର 3 ମାସ ପରେ ସୋମନାଥ ମନ୍ଦିରର ପୁନଃ ନିର୍ମାଣ ପ୍ରସ୍ତାବ ଦେଇଥିଲେ ସେତେବେଳର କଂଗ୍ରେସ ନେତା ତଥା ଉପ ପ୍ରଧାନମନ୍ତ୍ରୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ । ଯାହାକୁ ପ୍ରଧାନମନ୍ତ୍ରୀ ଜବାହର୍ ଲାଲ୍ ନେହରୁ ସାଦରେ ଗ୍ରହଣ କରିବା ସହ ଗାନ୍ଧିଜୀଙ୍କ ଅନୁମୋଦନ ପାଇଁ ପଠାଇଥିଲେ । ପଟେଲ୍ ଏବଂ ଅନ୍ୟତମ କଂଗ୍ରେସ ନେତା କେ. ଏମ୍. ମୁନସୀ, ଗାନ୍ଧିଜୀଙ୍କ ପାଖକୁ ଅନୁମତି ପାଇଁ ଗଲେ । ଆଉ ଗାନ୍ଧିଜୀ ଗ୍ରୀନ୍ ସିଗନାଲ୍ ଦେଇଥିଲେ, କିନ୍ତୁ ରାଜକୋଷ ଅର୍ଥରେ ନୁହେଁ, ଲୋକଙ୍କ ଠାରୁ ଚାନ୍ଦା କରି ମନ୍ଦିର କାମ କରିବାକୁ କହିଥିଲେ । କାମ ଆରମ୍ଭ ପୂର୍ବରୁ ଆର ପାରିକୁ ଚାଲିଗଲେ ପଟେଲ୍ ଏବଂ ଗାନ୍ଧିଜୀ । ମୁନସୀଙ୍କ ତତ୍ତ୍ୱାବଧାନରେ ହେଲା ପୁନଃ ନିର୍ମାଣ । ମୋଗଲ ଶାସକମାନେ ସୋମନାଥ ମନ୍ଦିର ଚାରିପଟେ ଯେଉଁ ମସଜିଦ୍ ଗୁଡ଼ିକ ନିର୍ମାଣ କରିଥିଲେ, 1950 ମସିହାରେ ସେଗୁଡ଼ିକୁ ମେସିନ୍ ସାହାଯ୍ୟରେ କିଛି କିଲୋମିଟର ଦୂରକୁ ଉଠାଇ ଦିଆଯାଇଛି । ଠିକ୍ ଯେମିତି ରାମଙ୍କ ପାଇଁ ଅଯୋଧ୍ୟାରୁ 25 କିଲୋମିଟର ଦୂରକୁ ଯାଇଛନ୍ତି ରହିମ୍ । 

ଜୟ ଶ୍ରୀରାମ ଓ କ୍ରେଡିଟ୍ ରାଜନୀତି:

​ବିଶ୍ୱହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଏବଂ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମାନସ ସନ୍ତାନ ଥିଲା ‘ରାମ ମନ୍ଦିର’ । ବିଜେପି ଏହାକୁ ରାଜନୈତିକ ସମର୍ଥନ ଦେଲା । ଶିବସେନା ପ୍ରତିଷ୍ଠାତା ତଥା ମରାଠା ଟାଇଗର୍ ସ୍ୱର୍ଗତ୍ ବାଲ୍ ଥାକରେଙ୍କ ସମର୍ଥନ ବି କିଛି କମ୍ ନଥିଲା । କିନ୍ତୁ ଭୂମି ପୂଜନ ଉତ୍ସବର ଫ୍ରେମରେ ହିଁ ନାହିଁ ଶିବସେନା । 

ଆଡଭାନିଙ୍କ ରଥଯାତ୍ରା, ବିଭିନ୍ନ ରାଜ୍ୟ ଦେଇ ଯାଉଥିବା ବେଳେ ଲୋକମାନେ ଧନୁତୀର, ଖଣ୍ଡା… ଏମିତି କେତେ କଣ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଉପହାର ଦେଇଥିଲେ । ଯାହାକୁ ଦେଖି ସେତେବେଳର ପାୱାରଫୁଲ୍ ବିଜେପି ନେତା ସ୍ୱର୍ଗତ ପ୍ରମୋଦ ମାହାଜନ୍ କହିଥିଲେ, “ଏସବୁ ଅସ୍ତ୍ରଶସ୍ତ୍ରକୁ ଯଦି ବ୍ୟବହାର କରାଯାଏ, ତେବେ ଗୋଟିଏ ଦିନରେ ରାମ ଜନ୍ମଭୂମିକୁ ଦଖଲକୁ ଆଣିହେବ” । କିନ୍ତୁ ସେସବୁର ଆବଶ୍ୟକତା ପଡ଼ିଲାନି, ବରଂ ଦଶନ୍ଧି ଦଶନ୍ଧି ଧରି ଲାଗି ରହିଥିବା ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ କରିଦେଲେ ସୁପ୍ରିମକୋର୍ଟ । ‘ରାଜନୈତିକ ଲୋଭର ବଶବର୍ତ୍ତୀ ହୋଇ, ଧର୍ମ ନିରପେକ୍ଷତା ନାଁରେ, ଅତୀତରେ କଂଗ୍ରେସ, ମୁସଲିମ୍ ତୁଷ୍ଟୀକରଣର ବହୁ ବାହାନା କରିଛି । କିନ୍ତୁ ଶେଷରେ ରାମଙ୍କ ବିଜୟରେ ବିଜେପିର ଜୟ ଜୟକାର ହେଉଥିବା ବେଳେ କ୍ରେଡିଟରେ ଭାଗ ବସାଇବାକୁ ଚେଷ୍ଟା କରିଛି କଂଗ୍ରେସ । ବ୍ୟାକ୍ ଗ୍ରାଉଣ୍ଡରେ ରାମ ମନ୍ଦିର ଥିବା ବେଳେ ବେକରେ ଗେଣ୍ଡୁ ହାର ପକାଇ ଯୋଡ଼ ହସ୍ତ ମୁଦ୍ରାରେ ଭଗବାନ ରାମଙ୍କ ମହିମା ଗାନ କରିଛନ୍ତି ପ୍ରିୟଙ୍କା ଗାନ୍ଧି । ଭୂମି ପୂଜନ ଉତ୍ସବ ଅବସରରେ ଭଗବାନ ରାମଙ୍କ କୃପାରୁ ଦେଶରେ ଜାତୀୟ ଏକତା, ଭ୍ରାତୃତ୍ୱ ଏବଂ ସଂସ୍କୃତି ମଜଭୁତ୍ ହେବାକୁ ପ୍ରାର୍ଥନା କରିଛନ୍ତି ସେ । ସେହିଭଳି ଆଗକୁ 27ଟି ବିଧାନସଭା ଆସନରେ ଉପ ନିର୍ବାଚନ ହେବାକୁ ଥିବା ବେଳେ ବରିଷ୍ଠ କଂଗ୍ରେସ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ, ରାମ ରାମ ଭଜିବା ଆରମ୍ଭ କରି ଦେଇଛନ୍ତି । ତାଙ୍କ କହିବା କଥା, “1985ରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣର ସୂତ୍ରଧର ଥିଲେ ସେତେବେଳର ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧି । 1989 ପ୍ରଥମ ନିର୍ବାଚନୀ ଭାଷଣରେ ହିଁ ରାଜୀବ ଗାନ୍ଧି, ରାମରାଜ୍ୟ କଥା କହିଥିଲେ” । ଯାହା ରେକର୍ଡରେ ଥିବା କହିଛନ୍ତି କମଲ ନାଥ । ଖାଲି ସେତିକି ନୁହେଁ, ଗତକାଲି ଅର୍ଥାତ୍ ମଙ୍ଗଳବାର କମଲ ନାଥ ଆଣ୍ଡ୍ କୋ ହନୁମାନ ଚାଳିଶା ଗାନ କରିବା ସହ ରାମ ମନ୍ଦିର ନିର୍ମାଣାର୍ଥେ ମଧ୍ୟପ୍ରଦେଶ କଂଗ୍ରେସ ତରଫରୁ 11 ଖଣ୍ଡ ରୁପା ଇଟା ପଠାଇବେ ବୋଲି କହିଛନ୍ତି । ସେପଟେ ରାମ ବନବାସ ସମ୍ପର୍କିତ 3ଟି ପର୍ଯ୍ୟଟନ ସ୍ଥଳୀର ବିକାଶ ପାଇଁ ଘୋଷଣା କରିଛନ୍ତି ଛତିଶଗଡ଼ର କଂଗ୍ରେସ ସରକାର ।… ସତରେ, ଏବେ ରାମଙ୍କ ରାଜ୍ ଚାଲିଛି । କେବେ ଆସିବ ରହିମଙ୍କ ପାଳି ? କେବେ ଆମ ନେତାଏ ରହିମଙ୍କ ମସଜିଦ୍ ନିର୍ମାଣ ପାଇଁ ନମାଜ୍ ପଢ଼ିବେ, କେବଳ ତାକୁ ହିଁ ଦେଖିବାକୁ ଅପେକ୍ଷା ।

Leave a Reply

Your email address will not be published.