ପୁଣି ୮ଯୋଦ୍ଧା କରୋନା ସଂକ୍ରମିତ, କ୍ୟାପିଟାଲ୍ ଥାନା ସିଲ୍
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ। ଆଉ ଏ ଥିରୁ ବାଦ ପଡି ନାହାନ୍ତି କରୋନା ଯୋଦ୍ଧା ।ଭୁବନେଶ୍ୱର କ୍ୟାପିଟାଲ୍ ଥାନାରେ ପୁଣି ୮ ଜଣ ପୁଲିସ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି । ଫଳରେ ଥାନାକୁ ଏକ ପ୍ରକାର ବନ୍ଦ କରି ଦିଆଯାଇଛି । ୪ ଦିନ ତଳେ କ୍ୟାପିଟାଲ ଥାନାରେ କାର୍ଯ୍ୟରତ ଜଣେ ମହିଳା କନେଷ୍ଟବଳ କରୋନାରେ ଆକ୍ରାନ୍ତ ହୋଇଥିଲେ । ତାଙ୍କ ସଂସ୍ପର୍ଶରେ ଆସିଥିବାରୁ ଥାନାର ସମସ୍ତ କର୍ମଚାରୀଙ୍କର କୋଭିଡ୍ ଟେଷ୍ଟ କରା ଯାଇଥିଲା । ଗତ ୩୦ ତାରିଖରେ ୬ ଜଣ ଥାନା କର୍ମଚାରୀଙ୍କ କରୋନା ଟେଷ୍ଟ ପଜିଟିଭ୍ ଆସିଥିଲା । ଶନିବାର ଆଉ ୮ ଜଣଙ୍କ ନମୁନା ପଜିଟିଭ୍ ଥିବା ବିଏମ୍ସି ସ୍ପଷ୍ଟ କରିଛି ।
ଆଜି ଆଉ କିଛି କର୍ମଚାରୀଙ୍କ କରୋନା ରିପୋର୍ଟ ଆସିବ । ଯଦି ଆହୁରି କର୍ମଚାରୀ କରୋନା ଆକ୍ରାନ୍ତ ଥିବେ ତେବେ ଥାନାକୁ ସିଲ୍ କରାଯିବ । ସେପଟେ ସପ୍ତମ ବାଟାଲିୟନରେ ୧୦ରୁ ଅଧିକ ପୁଲିସ୍ କର୍ମଚାରୀ ଓ ଆରଓରୁ ୫ ଜଣ କରୋନା ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଛନ୍ତି । ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ରହିଛି । କରୋନା ଆରମ୍ଭ ସମୟରେ କମିଶନରେଟ୍ ପୁଲିସ୍ ରାଜ୍ୟ ସରକାରଙ୍କୁ ଏକ ଚିଠି ଲେଖିଥିଲା । ଉକ୍ତ ଚିଠିରେ ଉଲ୍ଲେଖ ରହିଥିଲା, ପୁଲିସ୍ କର୍ମଚାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ୍ କରାଯାଉ । ହେଲେ ସରକାର କିଛି ନିଷ୍ପତ୍ତି ନେଇ ନଥିଲେ ।