ଆଜିଠୁ ଖୋଲିଲା ୟୁନିଟ୍ ୪ ମାର୍କେଟ
ଭୁବନେଶ୍ବର, (ଓଡିଶା ଟାଇମ୍) : ଦୀର୍ଘ ୧୪ ଦିନ ବନ୍ଦ ହେବା ପରେ ଆଜିଠୁ ପୁଣି ଖୋଲିଛି ୟୁନିଟ୍ ୪ ମାର୍କେଟ । କରୋନା କଟକଣାକୁ କଡାକଡି ଭାବରେ ପାଳନ କରିବା ପାଇଁ ନିର୍ଦ୍ଦେଶ ଦିଆ ଯାଇଛି । ସବୁ ଦୋକାନୀ ଏବଂ ଗ୍ରାହକଙ୍କ ମଧ୍ୟରେ ସାମାଜିକ ଦୁରତ୍ଵ ରଖିବା ସହ ମାସ୍କ ପିନ୍ଧିବାକୁ କୁହାଯାଇଛି । ୟୁନିଟ-୪ମାର୍କେଟ୍ ରାଜଧାନୀର ଏକ ପ୍ରମୁଖ ହୋଲସେଲ୍ ମାର୍କେଟ୍ ହୋଇଥିବାବେଳେ ସବୁଠୁ ବଡ଼ ଆମିଷ ମାର୍କେଟ୍। ତେଣୁ ବ୍ୟବସାୟୀମାନଙ୍କ ଠାରୁ ଅଣ୍ଡରଟେକିଂ ଲେଖି ବିଏମସି ମାର୍କେଟ୍ ଖୋଲିବାକୁ ଅନୁମତି ଦେଇଛି ।
ସୂଚନା ମୁତାବିକ, ୟୁନିଟ୍-୪ ମାର୍କେଟ ଓ ଏହାକୁ ସଂଲଗ୍ନ ଥିବା ମାର୍କେଟରୁ ବହୁ ସଂଖ୍ୟକ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହାପରେ ବିଏମ୍ସି ଗତ ୧୬ ତାରିଖରୁ ହାଟକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲା । ଏହି ସମୟ ମଧ୍ୟରେ ମାର୍କେଟ ଅଞ୍ଚଳରୁ ବ୍ୟାପକ କୋଭିଡ୍ ପରୀକ୍ଷା କରାଯାଇଛି । ୟୁନିଟ୍-୪ ମାର୍କେଟରେ ଅତ୍ୟାବଶ୍ୟକୀୟ ସାମଗ୍ରୀର ଅନେକ ହୋଲସେଲିଂ ଦୋକାନ ରହିଛି । ଏହା ଉପରେ ଅନେକ ଖୁଚୁରା ଦୋକାନୀ ନିର୍ଭର କରନ୍ତି । ୧୪ ଦିନ ପରେ ଏ ସବୁ ଦୋକାନ ଖୋଲିବାକୁ ଅନୁମତି ଦେଇଛି ବିଏମ୍ସି ।