ସମାଜସେବୀ ଆଦିତ୍ୟ ଦାଶ ମୃତ୍ୟୁ ମାମଲାର ହେବ କ୍ରାଇମବ୍ରାଞ୍ଚ ତଦନ୍ତ

ଭୁବନେଶ୍ବର, (ଓଡିଶା ଟାଇମ୍) : ସମାଜସେବୀ ଆଦିତ୍ୟ ଦାସ ମୃତ୍ୟୁ ମାମଲା । ଘଟଣାରେ ୨୦ଦିନ ପରେ ଖୋଲିନାହିଁ ଆଦିତ୍ୟଙ୍କ ମୃତ୍ୟୁର ରହସ୍ୟ । ପୁଲିସ ଡିଜିପିଙ୍କ ଟ୍ବିଟ ଅନୁସାରେ ମାନବପ୍ରେମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାର ତଦନ୍ତ ଭାର ଭୁବନେଶ୍ଵର ଜିଆରପି ପୁଲିସ ହାତରୁ କ୍ରାଇମବ୍ରାଞ୍ଚ ହାତକୁ ଯିବ । ଓଡିଶା ପୋଲିସ ଡିଜି ଅଭୟ ଏହି ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ଟ୍ୱିଟର ମାଧ୍ୟମରେ ସୂଚନା ଦେଇଛନ୍ତି ଡିଜିପି ଅଭୟ ।

ଗତ ୬ତାରିଖ ଦିନ ଭୁବେନଶ୍ୱର ଲିଙ୍ଗରାଜ ଷ୍ଟେସନ୍‌ ନିକଟରେ ଆଦିତ୍ୟ ଦାସଙ୍କ ମୃତ ଦେହ ମିଳିଥିଲା । ଘଟଣାରେ ଜିଆର୍‌ପି ପୋଲିସ ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ସମୟରେ ଜିଆର୍‌ପି ଟ୍ରେନ୍‌ ଡ୍ରାଇଭର ଓ ଆଦିତ୍ୟଙ୍କ ସହିତ ଜଡିତ ଥିବା ଲୋକଙ୍କ ପଚରାଉଚରା କରିସାରିଛି । କିନ୍ତୁ ଘଟଣାର କୌଣସି ସତ୍ୟତା ପଦାକୁ ଆସିନାହିଁ । ସିସିଟିଭି ଫୁଟେଜ୍‌ରେ ଆଦିତ୍ୟ ଏକା ଚାଲି ଚାଲି ଯିବାର ଦୃଶ୍ୟ ରହିଥିଲା । ସେହିପରି ଆଦିତ୍ୟ ଘରୁ ଜବତ ହୋଇଥିବା ଡାଏରୀ ଓ ସୁଇସାଇଡ ନୋଟକୁ ଯାଞ୍ଚ କରିବାକୁ ହ୍ୟାଣ୍ଡ ରାଇଟିଂ ବ୍ୟୁରୋକୁ ପଠାଯାଇଥିଲା । ସୁଇସାଇଡ ନୋଟ୍‌ ଓ ଡାଏରୀରେ କାହା ହ୍ୟାଣ୍ଡରାଇଟିଂ ରହିଛି । ତାହାର ତଦନ୍ତ କରିବା ପାଇଁ ପଠାଯାଇଥିଲା । ତେବେ ସୁଇସାଇଡ୍‌ ନୋଟ୍ ଆଦିତ୍ୟଙ୍କ ହାତ ଲେଖା ବୋଲି ହ୍ୟାଣ୍ଡରାଇଟିଂ ବ୍ୟୁରୋ ସ୍ପଷ୍ଟ କରିଛି। ସୁଇସାଇଡ୍‌ ନୋଟ୍ ଆଦିତ୍ୟଙ୍କ ହାତ ଲେଖା ଏବଂ ସିସିଟିଭି ଫୁଟେଜ୍‌ରେ ଆଦିତ୍ୟ ଚାଲି ଚାଲି ଯିବାର ଦୃଶ୍ୟ ମଧ୍ୟ ରହିଛି। କିନ୍ତୁ ଏପଟେ ଟ୍ରେନ୍ ଡ୍ରାଇଭରଙ୍କ କଥା ଶୁଣି, ଜିଆର୍‌ପି ଦୋଛକିରେ ପଡି ଯାଇଥିଲା । ସେହିଦିନ ସେହି ଟ୍ରାକ ଦେଇ ଅତିକ୍ରମ କରିଥିବା ଟ୍ରେନ ଡ୍ରାଇଭର କହିଛନ୍ତି ଯେ, ତାଙ୍କ ଟ୍ରେନ୍ ସାମ୍ନାରେ କାହାର ମୃତ୍ୟୁ ହୋଇନାହିଁଁ। ତେବେ ଯଦି ଟ୍ରେନ୍ ଧକ୍କାରେ ମୃତ୍ୟୁ ହୋଇ ନାହିଁ, ତେବେ ତାଙ୍କ ମୃତ୍ୟୁ ହେଲା କିପରି ? । ଯାହାକି ଜିଆର୍‌ପି ପୋଲିସ ପାଇଁ ଚିନ୍ତାର ବିଷୟ ପାଲଟିଥିଲା । ଶେଷରେ ଆଜି ପୋଲିସ ଡିଜିପି ଅଭୟ ଘଟଣାର ତଦନ୍ତ ପାଇଁ କ୍ରାଇମ୍‌ବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି ।

Leave a Reply

Your email address will not be published.