ହଟିଲା ରାତ୍ରକାଳୀନ କର୍ଫ୍ୟୁ ଅଗଷ୍ଟ ପହିଲାରୁ ସାରା ଦେଶରେ ଲାଗୁ ହେବ ଅନ୍ ଲକ୍-3
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : କରୋନା ଭୂତାଣୁ ପାଇଁ କେନ୍ଦ୍ର ସରକାର ବୁଧବାର ଅନଲକ୍-୩ ଗାଇଡଲାଇନ ଜାରି କରିଛନ୍ତି। ଏଥିରେ ଦେଶବାସୀଙ୍କ ପାଇଁ କଟକଣା ସାମାନ୍ୟ କୋହଳ କରାଯାଇଛି। ବିଶେଷକରି ରାତ୍ରକାଳୀନ କର୍ଫ୍ୟୁକୁ ସରକାର ଉଠାଇ ଦେଇଛନ୍ତି। ଏଣିକି ରାତିରେ ସାଧାରଣ ଲୋକ ଯାତାୟାତ କରିପାରିବେ। ତେବେ କଣ୍ଟେନମେଣ୍ଟ ଜୋନଗୁଡ଼ିକରେ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଲକଡାଉନ ବଳବତ୍ତର ରହିବ ବୋଲି ଗାଇଡ୍ଲାଇନରେ ନିର୍ଦେଶ ରହିଛି।
ଅଗଷ୍ଟ ୩୧ ତାରିଖ ବନ୍ଦ ରହିବ ଦେଶର ସମସ୍ତ ଶିକ୍ଷାନୁଷ୍ଠାନ । ଏଥି ସହିତ ପାର୍କ, ସିନେମା ହଲ୍, ବାର୍, ସୁଇମିଂ ପୁଲ୍ ଆଦି ବନ୍ଦ ରହିବ । ସାମାଜିକ, ଧାର୍ମିକ, ରାଜନୈତିକ, ସାଂସ୍କୃତିକ, କ୍ରୀଡ଼ା ଓ ମନୋରଞ୍ଜନ ସମ୍ବନ୍ଧୀୟ କାର୍ୟ୍ୟକ୍ରମ ପାଇଁ କୋହଳ ନିଷ୍ପତ୍ତି ଗ୍ରହଣ କରାଯାଇଥିଲେ ମଧ୍ୟ ଏସବୁ ନେଇ ଷ୍ଟାଣ୍ଡାର୍ଡ୍ ଅପରେଟିଂ ପ୍ରୋସିଜିଓର୍ ପରବର୍ତ୍ତୀ ସମୟରେ ଜାରି କରାଯିବ । ମେଟ୍ରୋ ରେଲ୍ ସେବା ଏବଂ ଗୃହ ମନ୍ତ୍ରଣାଳୟର ଅନୁମତି ପାଇଥିବା ଅନ୍ତର୍ଜାତୀୟ ବିମାନ ସେବା ଚାଲୁ ରହିବ । ସାମାଜିକ ଦୂରତା ଏବଂ ଷ୍ଟାଣ୍ଡାର୍ଡ୍ ଅପରେଟିଂ ପ୍ରୋସିଜିଓର୍ ଅନୁସରଣ କରାଯାଇ ସ୍ୱାଧୀନତା ଦିବସ ପାଳନ କରାଯିବ ।
କଣ୍ଟେନମେଣ୍ଟ୍ ଜୋନରେ ଅଗଷ୍ଟ ୩୧ ଯାଏ ଲକ୍ ଡାଉନ୍ ଗାଇଡ୍ ଲାଇନ୍ ବଳବତ୍ତର ରହିବ । କିନ୍ତୁ ଅତ୍ୟାବଶ୍ୟକ ସାମଗ୍ରୀ ବିକାବିଣା ନେଇ ସର୍ବନିମ୍ନ କୋହଳ ବ୍ୟବସ୍ଥା ରହିବ । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଗାଇଡ୍ ଲାଇନ୍ ଆଧାରରେ ସ୍ଥାନୀୟ ଜିଲ୍ଲା ପ୍ରଶାସନ ହିଁ ଏହାକୁ କାର୍ଯ୍ୟକାରୀ କରାଇବ । ପରିସ୍ଥିତିକୁ ଦେଖି ରାଜ୍ୟ ସରକାର ମଧ୍ୟ ନିଷ୍ପତ୍ତି ନେଇପାରିବେ ।
ମାସ୍କ ବ୍ୟବହାର ସହ ସାମାଜିତ ଦୂରତା ରକ୍ଷାକୁ ପୂର୍ବଭଳି ବାଧ୍ୟତାମୂଳକ ରଖାଯାଇଛି । ସର୍ବ ସାଧାରଣ ସ୍ଥାନରେ ମାଦକ ଦ୍ରବ୍ୟ ସେବନ କିମ୍ବା ଛେପ ନପକାଇବାକୁ କଡ଼ା ନିର୍ଦ୍ଦେଶ ରହିଛି । ବିବାହ କାମରେ ଅତି ବେଶୀରେ ୫୦ ଜଣ ଏବଂ ଅନ୍ତେଷ୍ଟି ଓ ଶୁଦ୍ଧିକ୍ରିୟାରେ ସର୍ବାଧିକ ୨୦ ଜଣ ଯୋଗଦେଇ ପାରିବେ । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୫ ଲକ୍ଷ ଟପିଥିବା ବେଳେ କିଛି ଦିନ ହେବ ଦୈନିକ ପାଖାପାଖି ୫୦ ନୂଆ ଆକ୍ରାନ୍ତ ବାହାରୁଛନ୍ତି । ତଥାପି ଅର୍ଥନୀତିକୁ ଦୃଷ୍ଟିରେ ରଖି କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅନ୍ ଲକ୍-୩ ଜାରି କରିଛି । ସତର୍କ ଓ ସଚେତନ ହୋଇ ଜନ ସାଧାରଣ ଏଥିରେ ସହଯୋଗ କରିବାକୁ ନିବେଦନ କରାଯାଇଛି