ସମ ହସ୍ପିଟାଲରେ କୋଭିଡ 19 ଭ୍ୟାକସିନର ମାନବ ପରୀକ୍ଷଣ ଆରମ୍ଭ
ଭୁବନେଶ୍ୱର, (ଓଡିଶା ଟାଇମ୍) : କରୋନା ମହାମାରୀର ମୁକାବିଲା କରିବା ନିମନ୍ତେ କୋଭିଡ-19 ଭ୍ୟାକସିନର ମାନବ ପରୀକ୍ଷଣ ଆଜି ଇଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ସମ୍ ହସ୍ପିଟାଲରେ ଆରମ୍ଭ ହୋଇଛି । ସମ୍ ହସ୍ପିଟାଲରେ ଏହି ପରୀକ୍ଷଣ ନିମନ୍ତେ ଗତ ୨୦ ତାରିଖରେ ଆରମ୍ଭ ହୋଇଥିବା ପ୍ରିଭେନଟିଭ୍ ଆଣ୍ଡ୍ ଥେରାପିଉଟିକ୍ କ୍ଲିନିକାଲ ୟୁନିଟରେ ସ୍ବେଛାସେବୀମାନଙ୍କ ଶରୀରରେ ଏହି ଭ୍ୟାକସିନ୍ର ପ୍ରୟୋଗ କରାଯାଇଛି ।
ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ କରାଯାଇଥିବ। Covaxin ନାମକ ଏହି ଭ୍ୟାକସିନର ପରୀକ୍ଷଣ ନିମନ୍ତେ ଅନେକ ସ୍ବେଛାସେବୀଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ପାଉଥିବା ସୂଚନା ଦେଇଛନ୍ତି ଏହି ପରୀକ୍ଷଣ ପ୍ରକ୍ରିୟାର ମୁଖ୍ୟ ପରୀକ୍ଷକ ଡ଼ଃ ଇ. ଭେଙ୍କଟ ରାଓ । ବିଭିନ୍ନ ପର୍ଯ୍ୟାୟରେ ସ୍କ୍ରିନିଂ କରାଯିବା ପରେ ସ୍ବେଛାସେବୀ ମାନଙ୍କ ଶରୀରରେ ଭ୍ୟାକସିନ ପ୍ରୟୋଗ କରାଯାଇଥିବା ସମ ହସ୍ପିଟାଲର କମ୍ୟୁନିଟି ମେଡ଼ିସିନ ବିଭାଗର ପ୍ରଫେସର ଡ଼ଃ ରାଓ ସୂଚନା ଦେଇଛନ୍ତି । ପରୀକ୍ଷଣ ପରେ ସ୍ବେଛାସେବୀ ମାନଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି ଓ ସମସ୍ତେ ସୁସ୍ଥ ଅଛନ୍ତି ବୋଲି ଡ଼ଃ ରାଓ ସୂଚନା ଦେଇଛନ୍ତି ।
ଭାରତ ବାୟୋଟେକକୁ ଏହି ଭ୍ୟାକସିନ ପରୀକ୍ଷଣରେ ସହଯୋଗ କରୁଥିବା ଇଣ୍ଡିଆନ କାଉନସିଲ ଫର ମେଡିକାଲ ରିସର୍ଚ୍ଚ (ଆଇସିଏମଆର ) ପରୀକ୍ଷଣ ନିମନ୍ତେ ଦେଶର 12 ଟି ସ୍ବାସ୍ଥ୍ୟ ସେବା ଅନୁଷ୍ଠାନକୁ ବାଛିଥିବା ବେଳେ ଓଡିଶାର ଏକମାତ୍ର ଅନୁଷ୍ଠାନ ଭାବେ ଆଇଏମଏସ ଆଣ୍ଡ ସମ ହସ୍ପିଟାଲକୁ ମନୋନୀତ କରାଯାଇଛି ।
ଇଛୁକ ସ୍ବେଛାସେବୀ ମାନେ ptctu.soa.ac.in ୱେବସାଇଟ ରେ ରେଜିଷ୍ଟ୍ରସନ କରିପାରିବେ। ଏହି ବ୍ୟକ୍ତି ରୋଗମୁକ୍ତ ହୋଇଥିବା ସହ ସ୍କ୍ରିନିଂ ପ୍ରକ୍ରିୟା ମାଧ୍ୟମରେ କେତେକ ପ୍ରଶ୍ନର ଉତ୍ତର ଦେଇ ୱେବସାଇଟରେ ନିଜ ନାମ ପଂଜିକୃତ କରି ପାରିବେ ।