ରାଜସ୍ଥାନ ସଙ୍କଟ; ମୋଦିଙ୍କୁ ପତ୍ର ଲେଖିଲେ ଗେହଲଟ୍

ଭୁବନେଶ୍ଵର, (ବରେନ୍ଦ୍ରକୃଷ୍ଣ ସାହୁ): ରାଜସ୍ଥାନ ରାଜନୈତିକ ସଙ୍କଟ ବାବଦରେ ପ୍ରଧାନମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପତ୍ର ଲେଖିଛନ୍ତି। ବିଜେପି ଏବଂ ବିଶେଷକରି କେନ୍ଦ୍ର ସରକାର ହିଁ ଷଡ଼ଯନ୍ତ୍ର କରି ରାଜସ୍ଥାନର ଗାଣତାନ୍ତ୍ରିକ ସରକାରକୁ ଭାଙ୍ଗି ଦେବାକୁ ଉଦ୍ୟମ କରୁଥିବା ସେ ଏହି ଚିଠିରେ ଅଭିଯୋଗ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ହିଁ, ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କୁ ଲାଞ୍ଚ ଯାଚି ଏତେ ନାଟ ଲଗାଇଥିବା ପତ୍ରରେ କୁହାଯାଇଛି ।

ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ସରକାର 1985ରେ ଦଳ ବଦଳ ନିରୋଧୀ ଆଇନ ଆଣିଥିଲେ । ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ମଧ୍ୟ ସେଥିରେ ସଂଶୋଧନ ଆଣିଛନ୍ତି । କିନ୍ତୁ ତା ପରେ ବି ଜନମତକୁ ମୋଡ଼ି ମକଚି, ବିଜେପି, ଗାଣତାନ୍ତ୍ରିକ ସରକାରକୁ ଭାଙ୍ଗିବାରେ ଲାଗିଛି । କର୍ଣ୍ଣାଟକ ଓ ମଧ୍ୟପ୍ରଦେଶ ପରେ ଏବେ ରାଜସ୍ଥାନରେ ସେଭଳି ସ୍ଥିତି ବିଜେପି ହିଁ ସୃଷ୍ଟି କରିଥିବା ଗେହଲଟ୍ କହିଛନ୍ତି ।

ଆପଣ ଏ ବାବଦରେ ଜାଣିଛନ୍ତି କି ନାହିଁ, ମୁଁ ଜାଣିନି । ତଥାପି ପତ୍ର ମାଧ୍ୟମରେ, ଆପଣଙ୍କ ଅବଗତି ନିମନ୍ତେ ଏହା ଜଣାଇ ଦେଉଛି ବୋଲି ପ୍ରଧାନମନ୍ତ୍ରୀଙ୍କୁ କହିଛନ୍ତି ଅଶୋକ ଗେହଲଟ୍ ।

ଦେଶରେ କରୋନା ମହାମାରୀ ବଢ଼ି ବଢ଼ି ଚାଲିଥିବା ବେଳେ ଲୋକଙ୍କ ଜୀବନ ରକ୍ଷା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରଥମ କର୍ତ୍ତବ୍ୟ । କିନ୍ତୁ ମହାମାରୀ ମଝିରେ ମଧ୍ୟପ୍ରଦେଶ ଭଳି ରାଜସ୍ଥାନରେ ରାଜନୈତିକ ସଙ୍କଟ ସୃଷ୍ଟି କରାଯାଇଛି । ବିଜେପି ହିଁ ଏହାର ମାଷ୍ଟର ମାଇଣ୍ଡ୍ ବୋଲି ପତ୍ରରେ ଲେଖିଛନ୍ତି ଗେହଲଟ୍ । କେନ୍ଦ୍ରମନ୍ତ୍ରୀ ଗଜେନ୍ଦ୍ର ସିଂହ ଶେଖାୱତ ଏବଂ ଆଉ କିଛି ବିଜେପି ନେତା, ବିଦ୍ରୋହୀ କଂଗ୍ରେସ ବିଧାୟକଙ୍କ ସହ ଭିତିରିଆ ଯୋଗାଯୋଗରେ ଅଛନ୍ତି । ସଚିନ୍ ପାଇଲଟଙ୍କ ଗୋଷ୍ଠୀରେ ଥିବା ବିଦ୍ରୋହୀ କଂଗ୍ରେସ ବିଧାୟକ ଭନୱର୍ ଲାଲ୍ ଶର୍ମା ଓ ଶେଖାୱତଙ୍କ ମଧ୍ୟରେ ଲାଞ୍ଚ କାରବାର ନେଇ ହୋଇଥିବା ଅଡିଓ ଟେପ୍ ବାବଦରେ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ଗେହଲଟ୍ । ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ଭଳି ସଚିନ୍ ପାଇଲଟଙ୍କୁ ଧରି ବିଜେପି ଏମିତି ଖେଳ କରୁଥିବା ପତ୍ରରେ କୁହାଯାଇଛି ।

ରାଜସ୍ଥାନ ରାଜନୈତିକ ସଙ୍କଟ ନେଇ ବାଚସ୍ପତି, ସି. ପି. ଯୋଶୀ, ପାଇଲଟଙ୍କ ସମେତ 19 ଜଣ କଂଗ୍ରେସ ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବାକୁ ନୋଟିସ୍ ଜାରି କରିଥିବା ବେଳେ ମାମଲା ହାଇକୋର୍ଟରେ ବିଚାରାଧୀନ ରହିଛି । ପାଇଲଟ୍ ଓ ବିଦ୍ରୋହୀ ବିଧାୟକଙ୍କ ବିରୋଧରେ ଶୁକ୍ରବାର ପର୍ଯ୍ୟନ୍ତ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଉପରେ ହାଇକୋର୍ଟ ସ୍ଥଗିତାଦେଶ ଲଗାଇଛନ୍ତି । ଏଭଳି ସ୍ଥିତିରେ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ସ୍ଥଗିତାଦେଶ ଲଗାଇବାକୁ ବାଚସ୍ପତି ସି. ପି. ଯୋଶୀ, ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ପାଖରେ ପହଞ୍ଚିଛି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପତ୍ର ।

Leave a Reply

Your email address will not be published.

%d bloggers like this: