ଗାଜିଆବାଦ ସାମ୍ବାଦିକ ହତ୍ୟା ମାମଲା; ୯ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ଦିଲ୍ଲୀ ନିକଟସ୍ଥ ଗାଜିଆବାଦ ଠାରେ ସୋମବାର ବିଳମ୍ବିତ ରାତିରେ କେହି ଦୁବୃର୍ତ୍ତ ଜଣେ ସାମ୍ବାଦିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି ।

ସୂଚନାନୁଯାୟୀ, ସମ୍ପୃକ୍ତ ସାମ୍ବାଦିକ ବିକ୍ରମ ଯୋଶୀ ଜଣକ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଛନ୍ତି । ଏହି ଘଟଣାରେ ପୋଲିସ ୯ ଜଣଙ୍କୁ ଗିରଫ କରିବା ସହ କାର୍ଯ୍ୟରେ ଅବହେଳା ଦର୍ଶାଇ ଦୁଇ ପୋଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି ।

ଏହି ଘଟଣାରେ ଗାଜିଆବାଦ ପୋଲିସ ଏସପି କଳାନିଧି ନୈତନି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରବି ଓ ଛୋଟୁ ସମେତ ୯ ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ବେଆଇନ୍ ହତିଆର୍ ମଧ୍ୟ ଜବତ କରାଯାଇଛି ।

ସାମ୍ବାଦିକଙ୍କ ମୃତ୍ୟୁ ପରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇବା ସହ ସେମାନଙ୍କୁ ୧୦ ଲକ୍ଷ ଟଙ୍କାର ଆର୍ଥୀକ ସହାୟତା ଘୋଷଣା କରିଛନ୍ତି । ଏହାଛଡା ତାଙ୍କ ପତ୍ନୀଙ୍କୁ ଚାକିରି ଦେବା ସହ ପିଲାମାନଙ୍କୁ ନିଃ ଶୁଲ୍କ ଶିକ୍ଷା ପ୍ରଦାନ କରିବା ଲାଗି ମଧ୍ୟ ଘୋଷଣା କରିଛନ୍ତି ।

ବିକ୍ରମଙ୍କ ମୃତ୍ୟୁ ପରେ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ଦେଖା ଯାଇଥିଲା । ଯାହା ଫଳରେ ଲୋକମାନେ ଧାରଣାରେ ମଧ୍ୟ ବସିଥିଲେ । ନିକଟ ଅତୀତରେ ସାମ୍ବାଦିକ ବିକ୍ରମ ଯୋଶୀଙ୍କ ଭାଣିଜୀକୁ ହଇରାଣ କରାଯାଉଥିବା ନେଇ ସେ ପୋଲିସରେ ଅଭିଯୋଗ କରିଥିଲେ । ପୋଲିସ ଏଥିରେ କୌଣସି ପଦକ୍ଷେପ ଗ୍ରହଣ କରିନଥିବା ବେଳେ ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରି ନଥିଲା । ଏହି ଘଟଣାରେ ସମ୍ପୃକ୍ତ ଦୁବୃର୍ତ୍ତ ମାନେ ସୋମବାର ବିଳମ୍ବିତ ରାତିରେ ସାମ୍ବାଦିକଙ୍କୁ ଗୁଳି କରିଥିଲେ ।

ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ସିସିଟିଭି ଫୁଟେଜରେ ଏହି ହତ୍ୟାକାଣ୍ଡର ଘଟଣା ରେକର୍ଡ ହୋଇଛି । ଫୁଟେଜରେ ଦେଖା ଯାଉଛି ଯେ ୫ରୁ ୬ ଜଣ ବଦମାସ ବିକ୍ରମଙ୍କ ଘର ସାମନାରେ ତାଙ୍କୁ ଆକ୍ରମଣ କରୁଛନ୍ତି । ପରେ ଆଉ ଜଣେ ବ୍ୟକ୍ତି ଆସି ତାଙ୍କ ମୁଣ୍ଡର ଅତି ନିକଟରୁ ଗୁଳି ଚଳାଇଥିଲା । ଯାହା ପରେ ସେ ତଳେ ପଡିଯାଇଥିଲା । ଏହା ପରେ ସଙ୍ଗେ ସଙ୍ଗେ ତାଙ୍କ ଝିଅ ଆସୁଛି ଏବଂ ଭୟଭୀତ ହେବା ସହ ସାହାଯ୍ୟ ପାଇଁ ଚିତ୍କାର କରୁଥିବା ଦେଖିବାକୁ ମିଳୁଛି ।

Leave a Reply

Your email address will not be published.