ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜି ଟଣ୍ଡନଙ୍କ ଦେହାନ୍ତ
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ମଧ୍ୟପ୍ରଦେଶ ରାଜ୍ୟପାଳ ଲାଲଜି ଟଣ୍ଡନଙ୍କ ଦେହାନ୍ତ ହୋଇଛି । ଏନେଇ ତାଙ୍କ ପୁଅ ଆଶୁତୋଷ ଟଣ୍ଡନ ସ୍ପଷ୍ଟ କରିଛନ୍ତି ।
ସୂଚନାନୁଯାୟୀ, ଗତ ସୋମବାର ଦିନ ତାଙ୍କର ଶରୀର ଅସୁସ୍ଥ ହେବାରୁ ତାଙ୍କୁ ଲକ୍ଷ୍ନୌ ସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ସ୍ୱାସ୍ଥ୍ୟ ବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ।
ମୃତ୍ୟୁ ବେଳକୁ ତାଙ୍କୁ ୮୫ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁରେ ଉତ୍ତର ପ୍ରଦେଶରେ ୩ ଦିନ ପାଇଁ ରାଜକୀୟ ଶୋକ ଘୋଷଣା କରାଯାଇଛି ।
ସେ ଲକ୍ଷ୍ନୌରୁ ସାଂସଦ ମଧ୍ୟ ହୋଇଥିଲେ । ତାଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ବହୁ ରାଜନେତା ଶୋକ ପ୍ରକାଶ କରିଛନ୍ତି । ସେ ଜଣେ କୁଶଳ ରାଜନେତା ଓ ଦକ୍ଷ ପ୍ରଶାସକ ହେବା ସଙ୍ଗେ ସଙ୍ଗେ ସାଧାରଣ ଲୋକଙ୍କ ସେବା ପାଇଁ ସବୁବେଳେ ତତ୍ପର ରହୁଥିଲେ ।
ଏପରିକି ଉତ୍ତରପ୍ରଦେଶରେ ବିଜେପି ସଙ୍ଗଠନକୁ ମଜଭୁତ କରିବାରେ ତାଙ୍କର ଅବଦାନ ମଧ୍ୟ ରହିଥିଲା । ଉତ୍ତର ପ୍ରଦେଶ ରାଜନୀତିରେ ସକ୍ରିୟ ରହୁଥିବା ଲାଲଜି ବିଜେପି ସରକାରରେ ମନ୍ତ୍ରୀ ମଧ୍ୟ ହୋଇ ପାରିଥିଲେ । ସେ ସ୍ୱର୍ଗତଃ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଅତି ଘନିଷ୍ଠ ଥିଲେ ବୋଲି ସୂଚନା ମିଳିଛି ।
ସେ ୨୦୦୯ ମସିହାରେ ଲକ୍ଷ୍ନୌ ଆସନରୁ ଲୋକସଭା ନିର୍ବାଚନ ଲଢିବା ସହ ବିଜୟ ହୋଇଥିଲେ । ଲାଲଜି ୧୯୭୮ରୁ ୧୯୮୪ ଏବଂ ୧୯୯୦ରୁ ୧୯୯୬ ଯାଏଁ ବିଧାନ ପରିଷଦର ସଦସ୍ୟ ରହିଥିଲେ । ଏହାଛଡା ସେ ଉତ୍ତର ପ୍ରଦେଶ ବିଧାନସଭାକୁ ତିନି ଥର ନିର୍ବାଚିତ ମଧ୍ୟ ହୋଇଥିଲେ । ଏଭଳି ଭାବେ ତାଙ୍କର ରାଜନୈତିକ ଜୀବନ ଅତିବାହିତ ହୋଇଥିବା ବେଳେ ସେ ୨୦୧୯ ମସିହା ଜୁଲାଇ ମାସରେ ମଧ୍ୟପ୍ରଦେଶର ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିଲେ ।
ଲାଲଜିଙ୍କ ପରିବାର ସଦସ୍ୟଙ୍କ ସୂଚନାନୁଯାୟୀ ତାଙ୍କର ଶେଷକୃତ୍ୟ ମଙ୍ଗଳବାର ସାଢେ ୪ଟା ବେଳକୁ ଗୁଲାଲ ଘାଟରେ ସମ୍ପନ୍ନ ହେବ । ତେବେ କରୋନା ଜନିତ କଟକଣା ନିୟମକୁ ପାଳନକ ରିବା ଲାଗି ପରିବାର ବର୍ଗ ଜନ ସାଧାରଣଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି ।