ସତ୍ୟନଗର ଶ୍ମସାନରେ ହେବ ବିଜୟ ମହାନ୍ତିଙ୍କ ଅନ୍ତିମ ସଂସ୍କାର

ଭୁବନେଶ୍ବର, (ଓଡିଶା ଟାଇମ୍) : ଓଡ଼ିଆ ସିନେମାର ବରିଷ୍ଠ ଅଭିନେତା ବିଜୟ ମହାନ୍ତିଙ୍କ ପରଲୋକ ଘଟିଛି । ଗତ କାଲି ସନ୍ଧ୍ୟାରେ ତାଙ୍କର ଅବସ୍ଥା ଗୁରୁତର ହେବା ପରେ କେୟାର ହସ୍ପିଟାଲଲରେ ଭର୍ତି କରାଯାଇଥିଲା । ମାତ୍ର ସେଠାରେ ତାଙ୍କର ପରଲୋକ ଘଟିଥିବା ସୂଚନା ମିଳିଛି ।

ମେ ମାସରେ ଛାତିରେ ଯନ୍ତ୍ରଣା କାରଣରୁ ବିଜୟ ମହାନ୍ତିଙ୍କୁ ହାଇଦ୍ରାବାଦର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ଚିକିତ୍ସା କରାଯାଉଥିଲା । ଜୁନ୍ ୧୪ରେ ହାଇଦ୍ରାବାଦରୁ ଭୁବନେଶ୍ୱର ଫେରି କେୟାର ହସ୍ପିଟାଲରେ ଚିକିତ୍ସା ହେଉଥିଲେ ବିଜୟ । ଆଜି ଡାକ୍ତରଖାନାରୁ ବିଜୟଙ୍କ ମରଶରୀର ତାଙ୍କ ବାସ ଭବନକୁ ନିଆଯିବ । ସେଠାରୁ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ନିଆଯିବ ଶେଷ ଦର୍ଶନ ପାଇଁ । ଶେଷ ଦର୍ଶନ ପରେ ସତ୍ୟ ନଗର ସ୍ମସାନରେ ରାଷ୍ଟ୍ରୀୟ ମର୍ଯ୍ୟଦାର ସହ ଅନ୍ତିମ ସଂସ୍କାର କରାଯିବ ।

ଅଭିନେତା ବିଜୟ ମହାନ୍ତିଙ୍କ ବିୟୋଗରେ ଓଡ଼ିଶାରେ ଶୋକର ଛାୟା ଖେଳିଯାଇଛି । ସିନେ ତାରକାଙ୍କଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ ଅନେକ ବିଶିଷ୍ଟ ବ୍ୟକ୍ତି ଟ୍ବିଟ୍ କରି ଶୋକବ୍ୟକ୍ତ କରିଛନ୍ତି । ବର୍ଷୀୟାନ ଅଭିନେତା ବିଜୟ ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ ବୋଲି ମୁଖ୍ୟମନ୍ତ୍ରୀ ଟୁଇଟ୍ କରିଛନ୍ତି । ଓଡ଼ିଆ କଳା ଜଗତରେ ସେ ଛାଡିଯାଇଥିବା ଅଭିନୟର ଛାପ ତାଙ୍କୁ ଅଗଣିତ କଳାପ୍ରେମୀଙ୍କ ହୃଦୟରେ ସର୍ବଦା ସ୍ମରଣୀୟ କରି ରଖିବ । ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ସମବେଦନା ଜଣାଇଛନ୍ତି । ଖ୍ୟାତିସମ୍ପନ୍ନ ଅଭିନେତା ବିଜୟ ମହାନ୍ତିଙ୍କ ବିୟୋଗରେ ମୁଁ ଗଭୀର ମର୍ମାହତ ବୋଲି କହିଛନ୍ତି କେନ୍ଦ୍ର ତୈଳ, ପ୍ରାକୃତିକ ବାସ୍ପ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ମୃତ୍ୟୁରେ ଓଡ଼ିଶା ସିନେ ଜଗତରେ ଏକ ଯୁଗର ଅନ୍ତ ଘଟିଲା । ବର୍ଷିୟାନ ଅଭିନେତା, ନିର୍ଦ୍ଦେଶକ ଓ ନାଟ୍ୟକାର ବିଜୟ ମହାନ୍ତିଙ୍କ ବିୟୋରେ ମୁଁ ଅତ୍ୟନ୍ତ ଦୁଃଖିତ ଏବଂ ମର୍ମାହତ । ତାଙ୍କ ଅନୁପସ୍ଥିତ ଓଡ଼ିଆ ଚଳଚ୍ଚିତ୍ର ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି ଟୁଇଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ।

Leave a Reply

Your email address will not be published.