ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାରେ ଆଦିତ୍ୟଙ୍କୁ ପୋଲିସର ଜେରା
ମୁମ୍ବାଇ, (ଓଡିଶା ଟାଇମ୍): ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ପୋଲିସ ବହୁ ବଡବଡ ଲୋକଙ୍କୁ ପଚରାଉଚରା କରୁଥିବା ବେଳେ ଆଜି ଆଦିତ୍ୟ ଚୋପ୍ରାଙ୍କୁ ଜେରା କରିଛି ।
ଶନିବାର ସକାଳେ ମୁମ୍ବାଇର ବାର୍ସୋବା ଥାନାରେ ପୋଲିସ ୟଶରାଜ ଫିଲ୍ମ ମୁଖ୍ୟ ତଥା ଫିଲ୍ମ ନିର୍ମାତା ଆଦିତ୍ୟ ଚୋପ୍ରାଙ୍କ ବୟାନ ରେକର୍ଡ କରିଛି । ପୋଲିସର କହିବାନୁଯାୟୀ ୟଶରାଜ ଫିଲ୍ମ ସହ ସୁଶାନ୍ତ ସିଂହ ରାଜପୁତଙ୍କ କଣ୍ଟ୍ରାକ୍ଟ ଥିଲା କି ନାହିଁ ଆଉ ସେ ତାଙ୍କ ସହ କୌଣସି କଣ୍ଟ୍ରାକ୍ଟ କ୍ୟାନ୍ସଲ କରିଥିଲେ କି ନାହିଁ ।
କିଛି ଦିନ ପୂର୍ବରୁ ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ କହିଥିଲେ ଯେ ସୁଶାନ୍ତ ୟଶରାଜ ଫିଲ୍ମ ସହ ତାଙ୍କର କଣ୍ଟ୍ରାକ୍ଟକୁ କ୍ୟାନସଲ୍ କରି ଦେଇଥିଲେ । ପୋଲିସ ରିୟାଙ୍କୁ ମଧ୍ୟ ପଚରା ଉଚରା କରିଥିଲେ ।
ନିକଟରେ ମହାରାଷ୍ଟ୍ର ଗୃହ ମନ୍ତ୍ରୀ ଅନିଲ୍ ଦେଶମୁଖ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ସିବିଆଇ ଯାଞ୍ଚ ଜରୁରୀ ନୁହେଁ ବୋଲି କହିଥିଲେ ।
ଏହି ମାମଲାରେ ପୂର୍ବରୁ ମୁମ୍ବାଇ ପୋଲିସ ସଞ୍ଜୟ ଲୀଲା ଭଂସାଲିଙ୍କ ସମେତ ଏଯାଏଁ ୩୦ରୁ ଅଧିକ ଲୋକଙ୍କୁ ଜେରା କରିସାରିଛି । ନିକଟରେ ସୁଶାନ୍ତଙ୍କ ଗାର୍ଲଫ୍ରେଣ୍ଡ ଏହି ମାମଲାର ସିବିଆଇ ଯାଞ୍ଚ କରିବା ଲାଗି ଗୃହ ମନ୍ତ୍ରୀ ଅମିତ ଶାହଙ୍କୁ ଟ୍ୱିଟ୍ ଜରିଆରେ ଅନୁରୋଧ କରିଥିଲେ ।
ଗତ ଜୁନ୍ ୧୪ ତାରିଖରେ ବଲିଉଡର ଏହି ଅଭିନେତା ଜଣକ ମାତ୍ର ୩୪ ବର୍ଷ ବୟସରେ ଆତ୍ମହତ୍ୟା କରିଥିଲେ । ଯାହାକୁ ଆଜି ଯାଏଁ ତାଙ୍କ ଫ୍ୟାନମାନେ ବିଶ୍ୱାସ କରିପାରୁ ନାହାଁନ୍ତି । ସେ ଡିପ୍ରେସନ ଯୋଗୁଁ ଏପରି ପଦକ୍ଷେପ ନେଇଥିବା କୁହାଯାଉଥିବା ବେଳେ ଏହି ମାମଲାରେ ପୋଲିସ ଏଯାଏଁ ବହୁ ଲୋକଙ୍କ ବୟାନ ରେକର୍ଡ କରାଯାଇଛି ।
ସୁଶାନ୍ତ କାଇ ପେ ଛେ, ସୁଦ୍ଧ ଦେଶୀ ରୋମାନ୍ସ, ଡିଟେକ୍ଟିଭ ବ୍ୟୋମକେଶ ବକ୍ସ, ଏମ.ଏସ.ଧୋନୀ, କେଦାରନାଥ ଓ ଛିଛୋରେ ଭଳି ଫିଲ୍ମରେ ଦର୍ଶକଙ୍କୁ ନିଜ ଅଭିନୟର ଯାଦୁ ଦେଖାଇଥିଲେ ।