ତିରୁପତି ମନ୍ଦିରର ୧୪ ପୂଜକ କରୋନା ଆକ୍ରାନ୍ତ
ତିରୁମାଳା (ଓଡିଶା ଟାଇମ୍): ଆନ୍ଧ୍ରପ୍ରଦେଶର ତିରୁମାଳା ତିରୁପତି ଦେବସ୍ଥାନମ (ଟିଟିଡି)ର ପ୍ରାୟ ୧୪ ଜଣ ପୂଜକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ତିରୁପତି ଦେବସ୍ଥାନମର କାର୍ଯ୍ୟକାରୀ ଅଧିକାରୀ ଅନିଲ କୁମାର ସିଂଘଲ ଗୁରୁବାର ଦିନ ସୂଚନା ଦେଇଛନ୍ତି ।
ପୂଜକ ମାନେ କରୋନା ପଜିଟିଭ ଚିହ୍ନଟ ହେବା ପରେ କାର୍ଯ୍ୟକାରୀ ଅଧିକାରୀ ଅନିଲ କୁମାର ସିଂଘଲ ମନ୍ଦିରର ପୂଜକ, ସ୍ୱାସ୍ଥ୍ୟ ଓ ଭିଜିଲାନ୍ସ ଅଫିସରଙ୍କ ସହ ଏକ ବୈଠକ ଆୟୋଜିତ କରିଥିଲେ ।
ତିରୁମାଳାରେ ଏଯାଏଁ ତିରୁମାଳା ତିରୁପତି ଦେବସ୍ଥାନମ (ଟିଟିଡି)ର ମୋଟ୍ ୯୧ ଜଣ କର୍ମଚାରୀ କରୋନା ସଂକ୍ରମିତ ହୋଇଥିବା ନେଇ ସୂଚନା ମିଳିଛି । ଏନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ତିରୁମାଳା ମନ୍ଦିରର ମୁଖ୍ୟ ପୂଜକ ଏ ଭି ରମଣ ଦିକ୍ଷିତୁଲୁ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ ଏସ୍ ଜଗମୋହନ ରେଡ୍ଡୀଙ୍କୁ ଅନୁରୋଧ କରିଥିବା ନେଇ ସୁତ୍ରରୁ ପ୍ରକାଶ ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ରାଜ୍ୟରେ ମୋଟ୍ ୩୫,୪୫୧ କରୋନା ପଜିଟିଭ ମାମଲା ରହିଛି । ଏହାଛଡା ୧୬,୬୨୧ ଟି ସକ୍ରିୟ ମାମଲା ରହିଥିବା ବେଳେ ୧୮,୩୭୮ ଜଣ ସୁସ୍ଥ ହୋଇଛନ୍ତି । ଏଯାବତ୍ ୪୫୨ ଜଣଙ୍କର ମୃତ୍ୟୁ ଘଟିଛି ।