ହୋମ୍ କ୍ୱାରେଣ୍ଟାଇନରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ)ର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ଭାଇ କରୋନା ଆକ୍ରାନ୍ତ ହେବା ପରେ ସେ ହୋମ୍ କ୍ୱାରେଣ୍ଟାଇନରେ ରହିଛନ୍ତି ।

ସୂଚନାନୁଯାୟୀ, ଗାଙ୍ଗୁଲିଙ୍କ ବଡ ଭାଇ ତଥା କ୍ରିକେଟ ଆସୋସିଏସନ ଅଫ୍ ବେଙ୍ଗଲର ଜଏଣ୍ଟ ସେକ୍ରେଟାରୀ ସ୍ନେହାଶିଷ କରୋନା ପଜିଟିଭ ଚିହ୍ନଟ ହେବାପରେ ସେ ଏଭଳି ନିଷ୍ପତ୍ତି ନେଇଛନ୍ତି । କୋଲକାତାର ବ୍ଲୁ ହସ୍ପିଟାଲରେ ସ୍ନେହାଶିଷ ଚିକିତ୍ସାଧୀନ ଥିବା ଜଣାପଡିଛି ।
କ୍ରିକେଟ ଆସୋସିଏସନ ଅଫ୍ ବେଙ୍ଗଲ (ସିଏବି)ର ଜଣେ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ସ୍ନେହାଶିଷଙ୍କୁ ଗତ କିଛି ଦିନ ହେବ ଜ୍ୱର ଲାଗି ରହିଥିଲା । ଗତ ବୁଧବାର ଦିନ ତାଙ୍କର କରୋନା ଟେଷ୍ଟ କରାଯାଇଥିଲା, ଯାହାର ରିପୋର୍ଟ ପଜିଟିଭ ବାହାରିଛି । ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ସେମାନେ ଗୋଟିଏ ଘରେ ରହୁଥିବା ଯୋଗୁଁ ହେଲଥ ପ୍ରୋଟୋକଲକୁ ଦୃଷ୍ଟିରେ ରଖି ଗାଙ୍ଗୁଲି ନିଜକୁ ହୋମ୍ କ୍ୱାରେଣ୍ଟାଇନରେ ରଖିଥିବା ନେଇ ସୁତ୍ରରୁ ପ୍ରକାଶ । ତେବେ ଏନେଇ ସୌରଭ ଗାଙ୍ଗୁଲିଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।
ତେବେ ଏହା ପୂର୍ବରୁ ସ୍ନେହାଶିଷଙ୍କ ମୋମିନପୁର ବାସ ଭବନରେ ତାଙ୍କ ପତ୍ନୀ ଓ ଶ୍ୱଶୁର ଘର ସମ୍ପର୍କୀୟ କରୋନା ସଂକ୍ରମତି ଚିହ୍ନଟ ହୋଇଥିଲେ ।

ସୌରଭ ଗାଙ୍ଗୁଲି କ୍ରିକେଟ୍ ପ୍ରେମୀଙ୍କ ଗହଣରେ ‘ପ୍ରିନ୍ସ ଅଫ୍ କୋଲକାତା’ ଓ ‘ରୟାଲ୍ ବେଙ୍ଗଲ୍ ଟାଇଗର’ ନାମରେ ଖୁବ୍ ପରିଚିତ ଥିଲେ ।୧୯୭୨ ମସିହା ଜୁଲାଇ ୮ ତାରିଖରେ କୋଲକାତାର ବେହଲ ଠାରେ ଜନ୍ମଗ୍ରହଣ କରିଥିଲେ ସେ । ଯିଏକି ବର୍ତ୍ତମାନ ସମୟରେ ବିସିସିଆଇର ପ୍ରେସିଡେଣ୍ଟ ହୋଇ ପାରିଛନ୍ତି ।

Leave a Reply

Your email address will not be published. Required fields are marked *