ଆସାମରେ ବନ୍ୟା ସ୍ଥିତ ଗମ୍ଭୀର; ପାଣି ଘେରରେ କାଜିରଙ୍ଗ ନ୍ୟାସନାଲ୍ ପାର୍କ

ଗୌହାଟି, (ଓଡିଶା ଟାଇମ୍‌): ପ୍ରବଳ ବର୍ଷା ଯୋଗୁଁ ଆସାମରେ ବନ୍ୟା ସ୍ଥିତି ବିଗିଡିବାରେ ଲାଗିଛି । ଯାହାଫଳରେ ୨୭ ଜିଲ୍ଲାର ୨୨ ଲକ୍ଷ ଲୋକ ପ୍ରଭାବିତ ହେବା ସହ ଅନେକ ଲୋକଙ୍କ ମୃତ୍ୟୁ ହୋଇଛି ।

କ୍ଷୟକ୍ଷତି ନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଏଏସଡିଏମଏ) ପକ୍ଷରୁ ସୂଚନା ଦିଆଯାଇଛି । ବ୍ରହ୍ମପୁତ୍ର ନଦୀର ଜଳସ୍ତର ବଢିବା କାରଣରୁ ଏଭଳି ସ୍ଥିତି ଉପୁଜୁଥିବା ସୂଚନା ମିଳିଛି । ଏହି ବନ୍ୟା କାରଣରୁ ଆସାମରେ ୫୦ ଜଣଙ୍କ ମୃତ୍ୟୁ ହୋଇଛି ।

ଏଭଳି ସମୟରେ ୪୩୦ ସ୍କୋୟାର ଫୁଟ୍ ଅଞ୍ଚଳରେ ନିର୍ମିତ କାଜିରଙ୍ଗ ନ୍ୟାସନାଲ୍ ପାର୍କର ୯୫% ଅଂଶ ପାଣିରେ ବୁଡି ଯାଇଥିବା ସୂଚନା ମିଳିଛି । ଏଯାବତ୍ ୬୬ ବନ୍ୟଜନ୍ତୁଙ୍କ ମୃତ୍ୟୁ ହୋଇଥିବା ବେଳେ ୧୭୦ରୁ ଅଧିକ ପଶୁପକ୍ଷୀଙ୍କୁ ଉଦ୍ଧାର କରାଯାଇଛି । ଯାହାଫଳରେ ବନ୍ୟପ୍ରାଣୀଙ୍କ ଅସ୍ତିତ୍ୱ ଉପରେ ଏହା ଏକ ସଙ୍କଟ ଭଳି ସ୍ଥିତି ଉପୁଜୁଛି ।

ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣର ରିପୋର୍ଟ ଅନୁଯାୟୀ ଜୋରହାଟ, ବଙ୍ଗାଇଗାଁଓ, କାମରୁପ, ବକ୍ସା, ବାରପେଟା, କଛାର, ଶିବ ସାଗର, ସୋନିତପୁର, ତିନସୁକିଆ ଓ ଧେମାଜୀ ଆଦି ଜିଲ୍ଲାରେ ବନ୍ୟା କାରଣରୁ ବହୁତ ଲୋକ ପ୍ରଭାବିତ ହେଉଛନ୍ତି ।

ଏହାବ୍ୟତିତ ଏନଡିଆରଏଫ୍‌, ଜିଲ୍ଲା ପ୍ରଶାସନ ଅନେକ ଲୋକଙ୍କୁ ଉଦ୍ଧାର କରିବା ସହ ବିଭିନ୍ନ ସ୍ଥାନରେ ନିର୍ମିତ କ୍ୟାମ୍ପରେ ରଖିଛି ।

ତେବେ କୋଭିଡ-୧୯ର ପ୍ରାଦୂର୍ଭାବକୁ ଦୃଷ୍ଟିରେ ରଖି ରିଲିଫ୍ କ୍ୟାମ୍ପ ଗୁଡିକରେ ସାମାଜିକ ଦୂରତା, ହାତ ସଫା ସୁତୁରା ସହ ସାନିଟାଇଜେସନ୍ ଉପରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ୍ ।

Leave a Reply

Your email address will not be published.