ଡାକ୍ତରଙ୍କୁ ଭଗବାନ କହିଲେ ବିଗ ବି’; ଲେଖିଲେ ଏମିତି ପୋଷ୍ଟ
ମୁମ୍ବାଇ, (ଓଡିଶା ଟାଇମ୍): ବିଗ ବି’ ଅମିତାଭ ବଚ୍ଚନ ଓ ତାଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇ ମୁମ୍ବାଇର ନାନାବତି ସୁପର ସ୍ପେଶାଲିଷ୍ଟ ହସ୍ପିଟାଲର ଆଇସୋଲେସନ୍ ୟୁନିଟରେ ଭର୍ତ୍ତି ହୋଇଛନ୍ତି ।
ଦୁହିଁଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି। ଏହି ସମୟରେ ଡାକ୍ତର ମାନେ ମଧ୍ୟ ସେମାନଙ୍କର ପୂରାପୂରି ଧ୍ୟାନ ରଖୁଛନ୍ତି । ଡାକ୍ତର ମାନଙ୍କର ନିସ୍ୱାର୍ଥପର ସେବାକୁ ଦେଖି ବିଗ ବି’ ସୋସିଆଲ୍ ମିଡିଆରେ ଏକ ଭାବବିହ୍ୱଳ ପୋଷ୍ଟ ଶେୟାର କରିଛନ୍ତି ।
“ଧଳା ରଙ୍ଗର ଡ୍ରେସ୍ ପିନ୍ଧି ଡାକ୍ତର ମାନେ ସେବାରେ ସମର୍ପିତ ଅଛନ୍ତି । ଭଗବାନଙ୍କ ଅବତାର ପରି, ଯିଏକି ସବୁବେଳେ ପିଡିତଙ୍କ ସହ ରହିଥାନ୍ତି । ସେମାନେ ଅହଙ୍କାର ଛାଡି ଆମର ଦେଖାଶୁଣା କରୁଛନ୍ତି ଓ ଆଲିଙ୍ଗନ ବି କରୁଛନ୍ତି । ସେମାନେ ମାନବିକତା ପ୍ରତୀକ ସ୍ୱରୂପ” ବୋଲି ପୋଷ୍ଟରେ ଉଲ୍ଲେଖ ରହିଛି । ଏହାଛଡା ହସ୍ପିଟାଲରେ ଭର୍ତ୍ତି ହେବା ପରେ ଅମିତାଭ ଲଗାତାର ଭାବେ ସୋସିଆଲ୍ ମିଡିଆରେ କିଛିନା କିଛି ପୋଷ୍ଟ କରି ଆସୁଛନ୍ତି ।
ଅନୁପମ ଖେରଙ୍କ ସମେତ ବଲିଉଡର ଅନେକ କଳାକାର ମଧ୍ୟ କରେନାରେ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଏହାବ୍ୟତିତ ପ୍ରଥମେ ଐଶ୍ୱର୍ଯ୍ୟା ଓ ଝିଅ ଆରାଧ୍ୟାଙ୍କ କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ବାହାରିଥିବା ବେଳେ ମା’ ଜୟାଙ୍କ ଟେଷ୍ଟ ରିପୋର୍ଟ ନେଗେଟିଭ ବାହାରିଛି ।
ଏନେଇ ନିକଟ ଅତୀତରେ ଅଭିଷେକ ବଚ୍ଚନ ଟ୍ୱିଟ କରି ସୂଚନା ଦେଇଥିଲେ । ସେ ତାଙ୍କ ଟ୍ୱିଟରେ ଉଲ୍ଲେଖ କରିଥିଲେ ଯେ ପ୍ରଥମେ ଐଶ୍ୱର୍ଯ୍ୟା ଓ ଆରାଧ୍ୟାଙ୍କ ଆଣ୍ଟିଜେନ୍ ପରୀକ୍ଷା ରିପୋର୍ଟ ନେଗେଟିଭ ଆସିଥିଲା । ହେଲେ ପରେ ସେମାନଙ୍କର କରୋନା ସ୍ୱାବ୍ ରିପୋର୍ଟ ପଜିଟିଭ ବାହାରିଛି । ବର୍ତ୍ତମାନ ସେମାନେ ଘରେ ସେଲ୍ଫ କ୍ୱାରେଣ୍ଟାଇନରେ ରହିଛନ୍ତି ।
ତେବେ ଅମିତାଭ ବଚ୍ଚନଙ୍କ ଜଲସା, ପ୍ରତୀକ୍ଷା, ଜନକ ଓ ଭାସ୍ତା ଭଳି ୪ ବଙ୍ଗଳାକୁ ବ୍ରିହନମୁମ୍ବାଇ ମହାନଗର ନିଗମ (ବିଏମସି) ପକ୍ଷରୁ ସିଲ୍ କରାଯାଇଥିବା ନେଇ ସୂଚନା ମିଳିଛି।