ବିଗ ବି’ଙ୍କ ପରେ ପୁଅ ଅଭିଷେକ କରୋନା ଆକ୍ରାନ୍ତ; ସ୍ୱାସ୍ଥ୍ୟବସ୍ଥା ସ୍ଥିର
ନୂଆଦିଲ୍ଲୀ, (ଓଡିଶା ଟାଇମ୍): ବଲିଉଡ ଶେହେନସା ଅମିତାଭ ବଚ୍ଚନଙ୍କ ପରେ ତାଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।
ବର୍ତ୍ତମାନ ଦୁହେଁ ମୁମ୍ବାଇର ନାନାବତି ସୁପର ସ୍ପେଶାଲିଷ୍ଟ ହସ୍ପିଟାଲର ଆଇସୋଲେସନ୍ ୟୁନିଟରେ ଭର୍ତ୍ତି ହୋଇଛନ୍ତି । ଦୁହିଁଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଥିବା ନେଇ ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି ।
ଏସମ୍ପର୍କରେ ଟ୍ୱିଟ କରି ଜଣାଇଛନ୍ତି ଅମିତାଭ ବଚ୍ଚନ । “ମୋର କରୋନା ଟେଷ୍ଟ ପଜିଟିଭ ବାହାରିଛି । ନାନାବତି ହସ୍ପିଟାଲରେ ଭର୍ତ୍ତି ହୋଇଛି । ଗତ ୧୦ ଦିନ ଭିତରେ ଯେଉଁମାନେ ମୋ ସଂସ୍ପର୍ଶରେ ଆସିଛନ୍ତି, ସେମାନେ ନିଜ ନିଜର କରୋନା ଟେଷ୍ଟ କରାଇବାକୁ ଅମିତାଭ ଅନୁରୋଧ କରୁଥିବା” ଟ୍ୱିଟରେ ଉଲ୍ଲେଖ ରହିଛି ।
ଏହାର କିଛି ସମୟ ପରେ ପୁଅ ଅଭିଷେକ ବଚ୍ଚନ ମଧ୍ୟ କରୋନା ସଂକ୍ରମିତ ହୋଇଥିବା ନେଇ ଟ୍ୱିଟ୍ କରି ସୂଚନା ଦେଇଥିଲେ । ତାଙ୍କ ଟ୍ୱିଟରେ ଉଲ୍ଲେଖ ରହିଛି ଯେ ମୁଁ ଓ ବାପା କରୋନାରେ ଆକ୍ରାନ୍ତ ହୋଇଛୁ । ଉଭୟଙ୍କର ସାମାନ୍ୟ କରୋନା ଲକ୍ଷଣ ରହିଛି । ଆମ ପରିବାର ସଦସ୍ୟ ଓ ଷ୍ଟାଫ୍ ମାନଙ୍କର କରୋନା ଟେଷ୍ଟ ହେଉଛି” । କେହି ଆତଙ୍କିତ ନ ହୋଇ ଶାନ୍ତ ରୁହନ୍ତୁ ବୋଲି ସେ ସମସ୍ତଙ୍କୁ ଅନୁରୋଧ ମଧ୍ୟ କରିଛନ୍ତି ।
ତେବେ ମା’ ଜୟା, ପତ୍ନୀ ଐଶ୍ୱର୍ଯ୍ୟା ଓ ଝିଅ ଆରାଧ୍ୟାଙ୍କ କରୋନା ଟେଷ୍ଟ ରିପୋର୍ଟ ନେଗେଟିଭ ବାହାରିଛି । ଏପରିକି ତାଙ୍କ ଜଲସା ବଙ୍ଗଲୋ ସାନିଟାଇଜ କରାଯାଉଥିବା ସୂଚନା ମିଳିଛି । ଏହି ପରିପ୍ରେକ୍ଷୀରେ ବହୁ କଳାକାରଙ୍କ ସମେତ ରାଜନେତା ମାନେ ମଧ୍ୟ ବିଗ ବି’ ଓ ଅଭିଷେକଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।
୭୭ ବର୍ଷୀୟ ଏହି ବରିଷ୍ଠ କଳାକାରଙ୍କ ଆଗାମୀ ଫିଲ୍ମ ବ୍ରହ୍ମସ୍ତ୍ର ଫିଲ୍ମ ରହିଛି। ଆୟାନ ମୁଖାର୍ଜୀ ନିର୍ଦ୍ଦେଶିତ ଏହି ଫିଲ୍ମରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ରହିଛନ୍ତି। କରୋନା ପାଇଁ ଦେଶରେ ଲକଡାଉନ୍ ରହିଥିଲା ତେଣୁ ଏହି ଫିଲ୍ମ ସୁଟିଂ ଏବେ ସ୍ଥଗିତ ରହିଥିବା ସୂଚନା ରହିଛି।