ନିରବ ମୋଦିର ୩୨୬ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତ କଲା ଇଡି

ନୂଆଦିଲ୍ଲୀ, (ଓଡିଶା ଟାଇମ୍‌): ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରୁ ଋଣ ନେଇ ବିଦେଶ ପଳାଇଥିବା ହୀରା ବ୍ୟବସାୟୀ ତଥା ପଳାତକ ନୀରବ ମୋଦିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) । ନିରବ ଠାରୁ ପ୍ରାୟ ୩୨୬.୯୯ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଇଡି ବାଜ୍ୟାପ୍ତ କରିଥିବା ସୂଚନା ମିଳିଛି ।

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ସୂଚନାନୁଯାୟୀ ବାଜ୍ୟାପ୍ତ ହୋଇଥିବା ସମ୍ପତତ୍ତି ଗୁଡିକ ମଧ୍ୟରେ ମୁମ୍ବାଇ ବର୍ଲି ସ୍ଥିତ ସମୁଦ୍ର ମହଲ ବିଲ୍ଡିଂର ୪ଟି ଫ୍ଲାଟ୍‌, ଅଲିବାଗରେ ଥିବା ଜମି ଓ ସମୁଦ୍ର ପାଖରେ ଥିବା ଏକ ଫାର୍ମ ହାଉସ୍‌, ଜେସଲମୈରରେ ଥିବା ପବନ ଚକ୍କି, ଲଣ୍ଡନ ସ୍ଥିତ ଏକ ଫ୍ଲାଟ୍‌, ସଂଯୁକ୍ତ ଆରବ ଅମିରତ (ୟୁଏଇ)ରେ ଥିବା ଫ୍ଲାଟ୍‌, ଶେୟର ଓ ବ୍ୟାଙ୍କରେ ଥିବା ଜମା ରାଶି ରହିଛି ।

ସୂଚନାଯୋଗ୍ୟ, ପଞ୍ଜାବ ନ୍ୟାସନାଲ୍ ବ୍ୟାଙ୍କ (ପିଏନବି)ରେ ଦୁର୍ନୀତି ଓ ମନି ଲଣ୍ଡରିଂ ମାମଲାର ମୁଖ୍ୟ ଅଭିଯୁକ୍ତ ନିରବ ମୋଦି ଗତ ବର୍ଷ ମାର୍ଚ୍ଚ ମାସ ଠାରୁ ଲଣ୍ଡନର ଏକ ଜେଲରେ ଅଛନ୍ତି । ପିଏନବି ସହ ଦୁଇ ବିଲିୟନ୍ ଟଙ୍କାର ହେରଫେର କରିବା ମାମଲାରେ ନିରବ ମୋଦିଙ୍କ ବିରୋଧରେ ବ୍ରିଟେନ ଠାରେ ପ୍ରତ୍ୟାର୍ପଣ ମାମଲା ଜାରି ରହିଛି ।

ସେହି ପ୍ରତ୍ୟାର୍ପଣ ମାମଲାର ଶୁଣାଣି ଆସନ୍ତା ସେପ୍ଟେମ୍ବର ମାସରେ କରାଯିବା ନେଇ ସୁତ୍ରରୁ ପ୍ରକାଶ ।

ନୀରବ ଓ ତାଙ୍କ ମାମୁଁ ମେହୁଲ ଚୋକସି ପିଏନବିରୁ ପ୍ରାୟ ଦୁଇ ବିଲିୟନ ଟଙ୍କା ଋଣ ନେବା ସହ ପରିଶୋଧ କରିନଥିଲେ । ପରବର୍ତ୍ତୀ ସମୟରେ ସେମାନଙ୍କ ବିରୋଧରେ ପିଏନବି ଘୋଟାଲାର ତଦନ୍ତ ଆରମ୍ଭ ହେବା ପରେ ଦୁହେଁ ଭାରତ ଛାଡି ଫେରାର ହୋଇଯାଇଥିଲେ ।

Leave a Reply

Your email address will not be published.