ସଂକ୍ରମଣରେ ଭାରତ ବିଶ୍ବରେ ତୃତୀୟ

ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ମହାମାରୀ କରୋନା ଭୂତାଣୁ ସଂକ୍ରମଣ ଭାରତରେ କ୍ରମାଗତ ଭାବେ ବଢିଚାଲିଛି। ୱାଲଡୋମିଟର ତଥ୍ୟ ଅନୁଯାୟୀ, ସଂକ୍ରମଣ କ୍ଷେତ୍ରରେ ଭାରତ କିଛିଦିନ ଚତୁର୍ଥ ସ୍ଥାନରେ ରହିବା ପରେ ରବିବାର ତୃତୀୟ ସ୍ଥାନକୁ ଉଠିଛି। ଅର୍ଥାତ୍‌ କରୋନା ସଂକ୍ରମଣରେ ବିଶ୍ବରେ ଭାରତ ଆଜି ତୃତୀୟ ସ୍ଥାନରେ ପହଞ୍ଚିଛି। ଭାରତରେ ଏବେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୱାଲଡୋ ମିଟର ତଥ୍ୟ ଅନୁଯାୟୀ, ୬,୯୫, ୩୯୬ରେ ପହଞ୍ଚିଛି। ଭାରତ ଉପରେ ଅର୍ଥାତ୍ ଦ୍ବିତୀୟ ସ୍ଥାନରେ ବ୍ରାଜିଲ୍‌ (୧୫,୭୮,୩୭୬) ଓ ପ୍ରଥମ ସ୍ଥାନରେ ଆମେରିକା (୨୯,୫୫,୨୮୨) ରହିଛି। ଏହାଭିତରେ ଭାରତ ପାଇଁ ଆଶ୍ବାସନାର ବିଷୟ ହେଉଛି ଦେଶରେ ଆରୋଗ୍ୟ ହାର କ୍ରମାଗତ ଭାବେ ବଢିଚାଲିଛି ଓ ମୃତ୍ୟୁସଂଖ୍ୟାରେ ଭାରତ ବହୁତ ତଳେ ରହିଛି।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତଥ୍ୟ ଅନୁଯାୟୀ, ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳ(ୟୁଟି)ର ସାମୂହିକ ଓ ପ୍ରଭାବଶାଳୀ ଉଦ୍ୟମ ସ୍ବରୂପ ଉତ୍ତମ ପ୍ରଦର୍ଶନ କରୁଛନ୍ତି। ୨୧ଟି ରାଜ୍ୟ ଓ ୟୁଟିରେ ଆରୋଗ୍ୟ ହାର ରାଷ୍ଟ୍ରୀୟ ଆରୋଗ୍ୟ ହାର (୬୦.୭୭%)ଠାରୁ ଅଧିକ ରହିଛି। ଯଦ୍ଦ୍ବାରା ଇତିମଧ୍ୟରେ ଦେଶର ମୋଟ ଆରୋଗ୍ୟ ହାର ଆକ୍ରାନ୍ତଙ୍କ ସଂଖ୍ୟାକୁ ଅତିକ୍ରମ କରିପାରିଛି। ଯାହାକି ମହାମାରୀର ସଫଳ ମୁକାବିଲା ଓ ନିୟନ୍ତ୍ରଣ ଦିଗରେ ଏକ ଅନୁକୂଳ ସଙ୍କେତ। ରବିବାର ସୁଦ୍ଧା ଦେଶର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬.୯୫ ଲକ୍ଷ ଅତିକ୍ରମ କରିଥିବା ବେଳେ ମୃତ୍ୟୁସଂଖ୍ୟା ବୃଦ୍ଧି ପାଇ ୧୯,୨୬୮ରେ ପହଞ୍ଚିଛି। ଅନ୍ୟପଟେ କୋଭିଡ-୧୯ରୁ ଆରୋଗ୍ୟ ଲାଭ କରିଥିବା ଲୋକଙ୍କ ସଂଖ୍ୟା ରବିବାର ରାତି ୧୧ଟା ସୁଦ୍ଧା ୪,୨୩, ୦୦୧ରେ ପହଞ୍ଚିଥିବାବେଳେ ୨,୫୨,୭୦୩ଟି ସକ୍ରିୟ ମାମଲା ରହିଛି।

Leave a Reply

Your email address will not be published.