କଟକରେ କରୋନା ଆକ୍ରାନ୍ତଙ୍କ ଉନ୍ମତକାଣ୍ଡ
କଟକ, (ଓଡିଶା ଟାଇମ୍) : ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲ୍ରେ କରୋନା ସଂକ୍ରମଣ ସ୍ଥିତି ଏବେ ଅଣାୟତ୍ତ ହୋଇପଡିଛି। ଶନିବାର ପୁଣି ଗୋଟିଏ ଦିନରେ ୩୮ ଜଣ କରୋନା ଆକ୍ରାନ୍ତ ଏଠାରେ ଚିହ୍ନଟ ହେବା ପରେ ଡାକ୍ତରଖାନା ପରିସରରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି । କରୋନା ଆକ୍ରାନ୍ତଙ୍କୁ କୋଭିଡ୍ ହସ୍ପିଟାଲ୍କୁ ନେବା ବେଳକୁ ଆକ୍ରାନ୍ତମାନେ ହାଙ୍ଗାମା କରିଛନ୍ତି ।
କରୋନାରେ ଆକ୍ରାନ୍ତ ହୋଇଥିବା କର୍କଟ ରୋଗୀ ଏବଂ ସେମାନଙ୍କ ସମ୍ପର୍କୀୟମାନେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରି କ୍ୟାନସର ହସ୍ପିଟାଲ ପରିସରରେ ରାତିରେ ହୋହାଲ୍ଲା କରିଥିଲେ । କରୋନା ଆକ୍ରାନ୍ତ ରୋଗୀ ବିଶେଷକରି ପଜିଟିଭ୍ ଚିହ୍ନଟ ହୋଇଥିବା କର୍କଟ ରୋଗୀଙ୍କ ସମ୍ପର୍କୀୟମାନେ ପ୍ରତିକ୍ରିୟାଶୀଳ ବସ୍ରୁ ଓହ୍ଲାଇ ଡାକ୍ତରଖାନା ପରିସରରେ ପାଟିତୁଣ୍ଡ କରିବା ସହ ଗୋଡେଇ ଗୋଡେଇ ଅନ୍ୟମାନଙ୍କୁ ଛୁଇଁବାକୁ ଉଦ୍ୟମ କରିଥିଲେ । ବସ୍ରେ ରୋଗୀମାନଙ୍କୁ ନେବା ପାଇଁ ଆସିଥିବା କର୍ମଚାରୀଙ୍କ ସମେତ ଗାଡ଼ି ଡ୍ରାଇଭର ମଧ୍ୟ ଗାଡ଼ିରୁ ଓହ୍ଲାଇ ବାହରେ ଲୁଚିଥିଲେ। ଏହି ଘଟଣାକୁ ନେଇ ଡାକ୍ତରଖାନା ପରିସରରେ ରାତିରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିଲା । ଏମିତିକି ସଂକ୍ରମଣ ଭୟରେ ଏସ୍ସିବି ମେଡିକାଲ ଫାଣ୍ଡି ପୁଲିସ୍ କିମ୍ବା ମଙ୍ଗଳାବାଗ ଥାନା ପୁଲିସ୍ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିବାକୁ ସାହସ ଜୁଟାଇ ପାରିନଥିଲେ । ବିଳମ୍ବରେ ଆଚାର୍ଯ୍ୟ ହରିହର କ୍ୟାନ୍ସର୍ ହସ୍ପିଟାଲ୍ ପ୍ରଶାସନିକ ଅଧିକାରୀ ଓ ମଙ୍ଗଳାବାଗ ଥାନା ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିଥିଲେ । ଆକ୍ରାନ୍ତମାନଙ୍କୁ ବୁଝାବୁଝି କରି ବସ୍ରେ ନିଆଯାଇଥିଲା।
ଗତ ୧୦ ଦିନରେ ଉକ୍ତ କ୍ୟାନସର ହସ୍ପିଟାଲରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୧ ରେ ପହଞ୍ଚିଛି । ଆଗକୁ ଏହି ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା ପ୍ରକାଶ ପାଇଛି । ଏଇ ହାରରେ ଆଚାର୍ଯ୍ୟ ହରିହର କ୍ୟାନସର ହସ୍ପିଟାଲରେ ଯଦି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଏ ତେବେ ଏଠାରେ କର୍କଟ ରୋଗୀଙ୍କ ଅବସ୍ଥା ଜଟିଳ ହୋଇପଡିବ ବୋଲି ଜଣେ ବିଶେଷଜ୍ଞ କହିଛନ୍ତି । ପ୍ରଶାସନର ଏକ ଟିମ୍ ରାତିରେ କ୍ୟାନସର ହସ୍ପିଟାଲ ପରିସରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ ଚଳାଇଛନ୍ତି।