ଆଜି ମହାପ୍ରଭୁଙ୍କ ନିଳାଦ୍ରୀବିଜେ
ପୁରୀ, (ଓଡିଶା ଟାଇମ୍) : ଆଜି ମହାପ୍ରଭୁଙ୍କ ଘୋଷଯାତ୍ରା ଶେଷ ହେବ। ୧୨ ଦିନର ଲୀଳାଖେଳା ସାରି ଆଜି ନୀଳାଦ୍ରିବିଜେ କରିବେ ଚତୁର୍ଦ୍ଧାମୂରତି। ମହାପଭୁ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରି ରତ୍ନସିଂହାସନକୁ ଯିବେ। ଗୋଟି ପହଣ୍ଡି ରେ ରତ୍ନସିଂହାସନକୁ ଯିବେ ଚତୁର୍ଦ୍ଧାମୂରତି।
ଅପରାହ୍ନ ୪ଟାରେ ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ ପହଣ୍ଡି ଆରମ୍ଭ ହେବ । ରଥଉପରେ ଠାକୁରଙ୍କୁ ସନ୍ଧ୍ୟା ଆଳତି ଏବଂ ସନ୍ଧ୍ୟା ଧୂପ ପରେ ଚାରମାଳ ବନ୍ଧାଯିବ । ପାଳିଆ ସେବକ ସିଂହାସନ ମାଜଣା କରିବେ । ଏହାପରେ ପ୍ରଭୁଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରାଯାଇ ଆରମ୍ଭ ହେବ ନୀଳାଦ୍ରି ବିଜେ। ଅପରାହ୍ନ ୪ଟାରେ ଶ୍ରୀଜୀଉଙ୍କ ପହଣ୍ଡି ଆରମ୍ଭ ହୋଇ ରାତି ୧୦ଟାରେ ଶେଷ ହେବ।
ଏହାପରେ ରତ୍ନସିଂହାସନରେ ଦଇତାପତି ସର୍ବାଙ୍ଗ ଓ ଶ୍ରୀମୁଖ ଖଣ୍ଡୁଆ ନୀତି ସମ୍ପନ୍ନ ହେବ । ଚାରମାଳ ଫିଟାଯିବା ପରେ ଶ୍ରୀସୁଦର୍ଶନ ସିଂହାସନକୁ ବିଜେ କରିବେ । ଚକାପୋଛା କରାଯିବା ସହ ସିଂହାସନ ଧୁଆଯିବ। ଶ୍ରୀମାଧବ, ଶ୍ରୀଦେବୀ ଏବଂ ଭୂଦେବୀ ସିଂହାସନକୁ ବିଜେ କରିବେ। ଦାରୁବ୍ରହ୍ମଙ୍କୁ ମହାସ୍ନାନ କରାଯାଇ ରୋଷହୋମ, ମଇଲମ, ଚନ୍ଦନଲାଗି, ସୂର୍ଯ୍ୟପୂଜା, ଦ୍ବାରପାଳପୂଜା, ବଡସିଂହାର ବେଶ, ବଡସିଂହାର ଭୋଗ ଏବଂ ରାତ୍ରପହୁଡ କରାଯିବ।
ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ସମୟରେ ଲକ୍ଷ୍ମୀନାରାୟଣ କଳି ହେବା ପରମ୍ପରା ରହିଛି । କାଳିଆ ଠାକୁର ଶ୍ରୀଜଗନ୍ନାଥ ମହାଲକ୍ଷ୍ମୀଙ୍କୁ ରସଗୋଲା ଖୁଆଇ ମାନଭଞ୍ଜନ କରିବେ । ରବିବାରଠାରୁ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରସାଦ ଉପଲବ୍ଧ ହେବ ।