ଅନଲାଇନରେ ପାଠ ପଢ଼ିବେ ଡିଗ୍ରୀ ଓ ପିଜି ଛାତ୍ରଛାତ୍ରୀ
ଭୁବନେଶ୍ବର, (ଓଡିଶା ଟାଇମ୍) : ସ୍ନାତକ ଓ ସ୍ନାତକୋତ୍ତର ଛାତ୍ରଛାତ୍ରୀଙ୍କୁ ଅନ୍ଲାଇନ ଶିକ୍ଷାଦାନ ପାଇଁ ଗାଇଡ୍ଲାଇନ୍ ଜାରି କରିଛି ଉଚ୍ଚଶିକ୍ଷା ବିଭାଗ। ଆସନ୍ତା ୧୩ ତାରିଖରୁ ଅନ୍ଲାଇନ୍ ଟିଚିଂ ଆରମ୍ଭ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି।
ଗୋଟିଏ ଅନ୍ଲାଇନ ଗ୍ରୁପରେ ସର୍ବାଧିକ ୩୨ ଜଣ ଛାତ୍ରଛାତ୍ରୀ ରହିବେ। ହ୍ୱାଟ୍ସଆପ କିମ୍ବା ଇ-ମେଲ୍ରେ ଗ୍ରୁପ କରିବାକୁ କୁହାଯାଇଛି। ପିଲାଙ୍କୁ ଶିକ୍ଷକମାନେ ନୋଟ୍ସ, ଟେକ୍ସଟ ବୁକ୍, ରେଫରେନ୍ସ ବୁକ୍ର ସଫ୍ଟ କପି ହ୍ୱାଟ୍ସଆପ କିମ୍ବା ଇ-ମେଲ୍ ମାଧ୍ୟମରେ ପ୍ରଦାନ କରିବେ।
ଏହାଛଡା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ୫୦ ପ୍ରତିଶତ କର୍ମଚାରୀରେ ଶିକ୍ଷାନୁଷ୍ଠାନଗୁଡିକୁ ପରିଚାଳନା କରିବାକୁ କୁହାଯାଇଥିବା ବେଳେ ଏହି ସମୟ ମଧ୍ୟରେ ଶ୍ରେଣୀ ଗୃହରେ ପାଠପଢା ପାଇଁ ଅନୁମତି ଦିଆଯାଇନାହିଁ।
ତେବେ ସବୁ ଶିକ୍ଷାନୁଷ୍ଠାନରେ ହେଲପଲାଇନ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଜାରି ହୋଇଛି। ଛାତ୍ରଛାତ୍ରୀମାନେ ଲାଇବ୍ରେରୀରୁ ଯେପରି ବହି ନେଇ ପଢିପାରିବେ ସେ ନେଇ ବ୍ୟବସ୍ଥା କରିବାକୁ ମଧ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଲେଖାଯାଇଥିବା ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି।