ପାୱାର ପ୍ଲାଣ୍ଟରେ ବିସ୍ଫୋରଣ, ୫ ମୃତ
ଚେନ୍ନାଇ, (ଓଡିଶା ଟାଇମ୍) : ତାମିଲନାଡୁର କୁଡ୍ଡାଲୋର ଜିଲା ଅନ୍ତର୍ଗତ ନେଭେଲିରେ ଥିବା ନେଭେଲି ଲିଗନାଇଟ କର୍ପୋରେଶନ(ଏନଏଲସି)ରେ ବୁଧବାର ବଏଲର ବିସ୍ଫୋରଣ ଘଟି ୫ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ଅନ୍ୟ ୧୭ ଜଣ ଆହତ ହୋଇଥିବାବେଳେ ସେମାନଙ୍କ ମଧ୍ୟରୁ କେତେଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଆହତମାନଙ୍କ ଶରୀରର କେତେକ ଅଂଶ ପୋଡ଼ିଯାଇଛି।
ଅନ୍ୟପଟେ ବଏଲର ବିସ୍ଫୋରଣ ପରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିଶମ ବାହିନୀ ନିଆଁକୁ ଆୟତ୍ତ କରିବାକୁ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି। ଜିଲା ପ୍ରଶାସନର ଏକ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ବିସ୍ଫୋରଣର କାରଣ ଜଣାପଡ଼ି ନାହିଁ। ମୃତାହତଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି।
ପ୍ଲାଣ୍ଟର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ, ବଏଲର ଚାଲୁ ନ ଥିଲା। ଘଟଣାର ଯାଞ୍ଚ ଚାଲିଛି। ଦୁଇ ମାସ ମଧ୍ୟରେ ପାୱାର ପ୍ଲାଣ୍ଟରେ ଏହା ୨ୟ ବିସ୍ଫୋରଣ। ପ୍ରଥମ ବିସ୍ଫୋରଣରେ ମେ’ ମାସରେ ହୋଇଥିଲା ଏବଂ ଏଥିରେ ୮ ଜଣ ଶ୍ରମିକ ଜଳି ଯାଇଥିଲେ।କମ୍ପାନୀ ୨,୯୪୦ ମେଗାୱାଟ ବିଜୁଳି ଉତ୍ପାଦନ କରୁଥିଲା। ଯେଉଁ ପ୍ଲାଣ୍ଟରେ ବିସ୍ଫୋରଣ ହୋଇଥିଲା, ସେଥିରେ ୪୭୦ ମେଗାୱାଟ ବିଦ୍ୟୁତ ଉତ୍ପାଦନ ହେଉଥିଲା।