ଆଜି ପବିତ୍ର ବାହୁଡା ଯାତ୍ରା

ପୁରୀ, (ଓଡିଶା ଟାଇମ୍) :ଆଜି ପବିତ୍ର ବାହୁଡା ଯାତ୍ରା । ଜନ୍ମବେଦୀରେ ଲୀଳାଖେଳା ସାରି ଶ୍ରୀମନ୍ଦିର ଅଭିମୁଖେ ବାହୁଡିବେ ମହାପ୍ରଭୁ । ବାହୁଡା ଯାତ୍ରା ଲାଗି ଗୁଣ୍ଡିଚା ମନ୍ଦିର ନାକଚଣା ଦ୍ବାର ନିକଟରେ ସଜେଇ ହୋଇ ରହିଛନ୍ତି ତିନି ରଥ । ପ୍ରଭୁ ସୁଦର୍ଶନ ରଥରେ ବିଜେ କରିସାରିଛନ୍ତି । ପହଣ୍ଡିରେ ଆସୁଛନ୍ତି ବଡ ଠାକୁର ପ୍ରଭୁ ବଳଭଦ୍ର । ଭାଇଭଉଣୀଙ୍କ ସହ କାଳିଆ ସାଆନ୍ତ ରଥରେ ବିଜେ କଲେ ସେବାୟତମାନେ ରଥ ଟାଣିନେବେ । ବାଟରେ ମାଉସୀ ମା’ଙ୍କଠାରୁ ପୋଡପିଠା ଖାଇ ଅପୂର୍ବ ଶ୍ରଦ୍ଧା ଦେଖାଇବେ । ବାହୁଡା ପାଇଁ ଶରଧାବାଲିରେ ପୋଲିସ ବି ପ୍ରସ୍ତୁତ ହୋଇ ରହିଛନ୍ତି ।

ପହଣ୍ଡିରେ ଆସି ଶ୍ରୀଜିଉ ରଥରେ ବିଜେ କରିବା ପରେ ମଧ୍ୟାହ୍ନ ୧୨ରୁ ରଥଟଣା ଆରମ୍ଭ ହେବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ କରାଯାଇଛି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ କୋଭିଡ୍ କଟକଣା ମଧ୍ୟରେ ବାହୁଡା ଯାତ୍ରା ସମ୍ପନ୍ନ ହେବ ।

ମଙ୍ଗଳବାର ରାତି ୧୦ଟାରୁ ପୁରୀ ସହରରେ ୪୮ ଘଣ୍ଟିଆ କର୍ଫ୍ୟୁ ଜାରି ହୋଇଛି । ବଡଦାଣ୍ଡକୁ ସିଲ୍ କରାଯାଇଛି । କୌଣସି ବ୍ୟକ୍ତି ବଡଦାଣ୍ଡକୁ ପ୍ରବେଶ କରିପାରିବେ ନାହିଁ । ବଡଦାଣ୍ଡକୁ ସଂଯୋଗ କରୁଥିବା ସମସ୍ତ ଗଳିକୁ ମଧ୍ୟ ସିଲ୍ କରାଯାଇଛି । ସହରକୁ ସମସ୍ତ ପ୍ରବେଶ ପଥ ବନ୍ଦ କରାଯିବା ସହ ପୋଲିସ ମୁତୟନ କରାଯାଇଛି । ରଥଯାତ୍ରା ଦିନ ଯେପରି ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ବାହୁଡା ଦିନ ସେହିପରି କଡା ସୁରକ୍ଷା ଗ୍ରହଣ କରାଯାଇଛି ।

 

 

 

Leave a Reply

Your email address will not be published.