ଚୀନକୁ ଚେତାଇଲା ଭାରତ: କହିଲା- ଏଲଏସିରୁ ସେନା ହଟାଅ
ନୂଆଦିଲ୍ଲୀ, (ଓଡିଶା ଟାଇମ୍) : ଭାରତ ପୂର୍ବ ଲଦ୍ଦାଖରେ ଗତିରୋଧ ପାଇଁ ଚୀନକୁ ଚେତାବନୀ ଦେଇଛି । ଭାରତ କହିଛି, ଚୀନ ମେ’ ମାସର ଆରମ୍ଭରୁ ବାସ୍ତବିକ ନିୟନ୍ତ୍ରଣ ରେଖାରେ ବଡ଼ ସଂଖ୍ୟାରେ ସୈନିକ ଓ ଯୁଦ୍ଧ ସାମଗ୍ରୀ ଏକତ୍ର କରୁଛି । ଚୀନ ସୈନିକ ବାରମ୍ବାର ସୀମା ନିୟମ ଉଲ୍ଲଂଘନ କରୁଛି । ବର୍ତ୍ତମାନ ସ୍ଥିତି ଯୋଗୁଁ ଉଭୟ ଦେଶ ମଧ୍ୟରେ ସଂପର୍କ ବିଗିଡ଼ିବାରେ ଲାଗିଛି । ଫଳରେ ବିକାଶ ଉପରେ ପ୍ରଭାବ ପଡୁଛି । ମେ’ ମାସର ଆରମ୍ଭରେ ସୈନ୍ୟ ଗତିରୋଧ ଆରମ୍ଭ ହେବା ପରେ ପ୍ରଥମ ଥର ପାଇଁ ଯେତେବେଳେ ଭାରତ ଏଲଏସି ଉପରେ ଦଖଲ ଦେଇଛି ଚୀନ ସେନା ଏଠାରେ ଏକତ୍ର ହୋଇଥିବା ସ୍ୱୀକାର କରିଛି ।
ବିଦେଶ ମନ୍ତ୍ରାଳୟ ଏକ ଅନଲାଇନ ସୂଚନା ମାଧ୍ୟମରେ ପୂର୍ବ ଲଦ୍ଦାଖ ଅଂଚଳରେ ବାସ୍ତବିକ ନିୟନ୍ତ୍ରଣ ରେଖା (ଏଲଏସି) ନିକଟରେ ହୋଇଥିବା ଘଟଣାକ୍ରମ ସଂପର୍କରେ କହିଛି । ଜୁନ ୧୫ରେ ଗଲୱାନ ଘାଟିରେ ହୋଇଥିବା ସଂଘର୍ଷ ପାଇଁ ଚୀନକୁ ଦାୟୀ କରିଛି । ଏଥିରେ କୁହାଯାଇଛି ଯେ, ଭାରତ ଚାହୁଁଛି ଯେ, ଚୀନ ସୀମାରେ ଶାନ୍ତି ଓ ସ୍ଥିରତା ଆଣିବା ପାଇଁ ନିଜର ସେନା ଫେରାଇ ନେଉ । ମୁଖପାତ୍ର କହିଛନ୍ତି, ବର୍ତ୍ତମାନ ସ୍ଥିତି ଜାରି ରହିବା ଫଳରେ କେବଳ ପରିସ୍ଥିତ ଅଣାୟତ୍ତ ହେବ । ଏହା ଦ୍ୱାରା ବିକାଶ ପ୍ରଭାବିତ ହେବ ।
ଦିନକ ପୂର୍ବରୁ ଚୀନର ବିଦେଶ ମନ୍ତ୍ରାଳୟ ଓ ପ୍ରତିରକ୍ଷା ମନ୍ତ୍ରାଳୟ ଗଲୱାନ ଘାଟି ସଂଘର୍ଷ ପାଇଁ ଭାରତକୁ ଦାୟୀ କହିବା ଓ ବିଦେଶ ମନ୍ତ୍ରାଳୟ ଉପରେ ମିଛ ସୂଚନା ପ୍ରଦାନ କରିବା ନେଇ ଅଭିଯୋଗ ଆଣିଥିବା ବେଳେ ବିଦେଶ ମନ୍ତ୍ରାଳୟ ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଚୀନ ଉପରେ ଆକ୍ରମଣ କରିଛନ୍ତି । ସେ କହିଛନ୍ତି, ମେ’ ମାସର ଆରମ୍ଭରେ ଚୀନ ପକ୍ଷ ଗଲୱାନ ଘାଟି ଅଚଂଳରେ ଭାରତର ସାଧାରଣ ପାରଂପରିକ ଗସ୍ତକୁ ଅଟକାଇବା ପାଇଁ କାର୍ଯ୍ୟାନୁଷ୍ଠାନ ନେଇଛି ।