ପୁରୀରେ ସେବାୟତ ଓ ପୋଲିସଙ୍କ ହେବ କୋଭିଡ୍ ଟେଷ୍ଟ
ପୁରୀ, (ଓଡିଶା ଟାଇମ୍) : ଶ୍ରୀମନ୍ଦିର ସେବାୟତଙ୍କର ୨ ଥର କୋଭିଡ ଟେଷ୍ଟ ହେବ। ଅଢ଼େଇ ହଜାର ସେବାୟତଙ୍କର ୨ ରାଉଣ୍ଡ କୋଭିଡ୍ ଟେଷ୍ଟ କରାଯିବ। ସେମାନଙ୍କ ବ୍ୟତୀତ ପୋଲିସ୍, ସଫେଇ କର୍ମଚାରୀଙ୍କର ମଧ୍ୟ ଟେଷ୍ଟ କରାଯିବ। ରଥ ଯାତ୍ରାରେ ସାମିଲ ୫ ହଜାର ବ୍ୟକ୍ତିଙ୍କର ଏହି କୋଭିଡ୍ ଟେଷ୍ଟ ହେବ ବୋଲି ନିଷ୍ପତ୍ତି ହୋଇଛି। ଶ୍ରୀମନ୍ଦିର ପରିଚାଳନା କମିଟି ଉପାଧ୍ୟକ୍ଷ ସୁରେଶ ମହାପାତ୍ର ଏହି ସୂଚନା ଦେଇଛନ୍ତି।
ଏହାସହ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର କହିଛନ୍ତି ଯେ ସବୁ ସେବାୟତଙ୍କ ପରିବାରକୁ ମାସ୍କ, ସାନିଟାଇଜର ଦିଆଯିବ । ସେବାୟତଙ୍କ ପରିବାରର ସ୍ୱାସ୍ଥ୍ୟ ଯାଞ୍ଚ ପାଇଁ ୨ଟି ସ୍ୱାସ୍ଥ୍ୟକେନ୍ଦ୍ର ହେବ । କେବଳ କୋଭିଡ଼ ନେଗେଟିଭ୍ ସେବାୟତ ଓ ପୋଲିସ ରଥ ଟାଣିପାରିବେ । ଜିଲ୍ଳାପାଳଙ୍କ ନେତୃତ୍ୱରେ ଗଠିତ ଟିମ୍ କରୋନା ଆଇଇସି ଅଭିଯାନ ଚଳାଇବେ ।
ବାହୁଡ଼ା ପୂର୍ବରୁ ଏମାନଙ୍କର ଟେଷ୍ଟ କରାଯିବାର ଲକ୍ଷ୍ୟ ରଖାଯାଇଛି । ଏଥିସହିତ ରଥଯାତ୍ରା ସହିତ ସଂପୃକ୍ତ ହେଉଥିବା ସେବାୟତ ଏବଂ କର୍ମଚାରୀମାନଙ୍କ ପରିବାରକୁ ମଧ୍ୟ କୋଭିଡ ନେଇ ସଚେତନ କରାଯିବ।
ସେପଟେ ରଥଯାତ୍ରାରେ ନିୟୋଜିତ ୧ ହଜାରରୁ ଅଧିକ ପୋଲିସ କର୍ମଚାରୀ ଓ ଅଧିକାରୀଙ୍କ କୋଭିଡ ଟେଷ୍ଟ ଚାଲିଛି । ଗୋପବନ୍ଧୁ ଆୟୁରର୍ବେଦିକ ହସ୍ପିଟାଲରେ ସେମାନଙ୍କର ନମୁନା ସଂଗ୍ରହ ହୋଇଛି । ଆସନ୍ତାକାଲି ଛତିଶା ନିଯୋଗର ବୈଠକ ବସିବ। ଏଥିରେ ଶ୍ରୀଜୀଉଙ୍କ ନୀତିକାନ୍ତି ସହିତ କୋଭିଡ ନିୟମ ମଧ୍ୟରେ କେମିତି ଏସବୁ ପାଳନ କରାଯିବ ସେନେଇ ଆଲୋଚନା କରାଯିବ।