ରାଜ୍ୟରେ ଆଉ ୧୨୫ କରୋନା ଆକ୍ରାନ୍ତ ସୁସ୍ଥ
ଭୁବନେଶ୍ବର, (ଓଡିଶା ଟାଇମ୍) :ରାଜ୍ୟରେ ଆଜି ଆଉ ୧୨୫ କରୋନା ସଂକ୍ରମିତ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଏବେସୁଦ୍ଧା ସୁସ୍ଥ ହୋଇଥିବା ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୯୮୮ରେ ପହଁଚିଛି ।
ସୁସ୍ଥ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଧାର ସର୍ବାଧିକ ୩୩ ଜଣ ରହିଥିବା ବେଳେ ପୁରୀର ୧୭, କଟକର ୧୪, ମୟୂରଭଞ୍ଜର ୧୩, ଗଞ୍ଜାମର ୧୦, କେଉଁଝରର ୯, ଯାଜପୁରର ୮, ନୂଆପଡାର ୬, କେନ୍ଦ୍ରାପଡା ଓ ଜଗତସିଂପୁରର ୪ଜଣ ଲେଖାଏଁ ରହିଛନ୍ତି । ଏହାସହ ସୁନ୍ଦରଗଡରୁ ୩, ବଲାଙ୍ଗୀରରୁ ୨, କନ୍ଧମାଳ ଓ ମାଲକାନଗିରିରୁ ଜଣେ ଲେଖାଏଁ ସୁସ୍ଥ ହୋଇଛନ୍ତି ।
ଅନ୍ୟପଟେ ଆଜି ରାଜ୍ୟରେ ଆଉ ୧୬୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ମଧ୍ୟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଜପତି ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୮ ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧୬୭ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୧୭ ରହିଛି।