ମତ ବଦଳାଇଲେ ରାଜ୍ୟ ସରକାର: ରଥଯାତ୍ରା କରାଇବାକୁ ନିବେଦନ କରିବେ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): ରଥଯାତ୍ରା ପ୍ରସଙ୍ଗରେ ଓଡ଼ିଶା ସରକାର ୟୁ -ଟର୍ନ ନେଇଛନ୍ତି। ଆସନ୍ତା କାଲି ସୁପ୍ରିମ୍କୋର୍ଟରେ ରଥଯାତ୍ରା ପ୍ରସଙ୍ଗର ପୁନଃ ବିଚାର ବେଳେ ସରକାର ପୁରୀରେ ରଥଯାତ୍ରା କରାଇବାକୁ ଆଦେଶ ପାଇଁ ନିବେଦନ କରିବେ ବୋଲି କହିଛନ୍ତି। ଗଜପତି ମହାରାଜାଙ୍କ ଚିଠିକୁ ଆଧାର କରି ରାଜ୍ୟ ଆଇନ ବିଭାଗ ଏହି ନିଷ୍ପତ୍ତି ନେଇଥିବା ସରକାରଙ୍କ ପକ୍ଷରୁ ସୂଚନା ମିଳିଛି।
ଏହି ସୂଚନା ଅନୁସାରେ ରାଜ୍ୟ ସରକାର ସୁପ୍ରିମ୍କୋର୍ଟରେ ଗଜପତି ମହାରାଜାଙ୍କ ଯୁକ୍ତିକୁ ସମର୍ଥନ କରିବେ। ଶ୍ରୀଜଗନ୍ନାଥ ମନ୍ଦିରର ପରିଚାଳନା କମିଟି ଅଧ୍ୟକ୍ଷ ଭାବେ ଗଜପତି ମହାରାଜା ରାଜ୍ୟ ସରକାରଙ୍କୁ ବିନା ଭକ୍ତରେ କରାଇବା ପାଇଁ ଅନୁରୋଧ କରିବା ପୂର୍ବକ ଏକ ଚିଠି ଆଜି ପୂର୍ବାହ୍ନରେ ଲେଖିଥିଲେ। ଏହାକୁ ସମୀକ୍ଷା କରି କୋର୍ଟରେ ନିଜର ଆଭିମୁଖ୍ୟକୁ ବଦଳାଇବାକୁ ନିଷ୍ପତ୍ତି ନେଇଛନ୍ତି।
ଜୁନ୍୧୮ ତାରିଖ ଦିନ ସୁପ୍ରିମ୍କୋର୍ଟ ପୁରୀରେ ରଥଯାତ୍ରା ହେଲେ ଶ୍ରୀ ଜଗନ୍ନାଥ ତାଙ୍କୁ କ୍ଷମା କରିବେ ନାହିଁ ବୋଲି ବିଚାରପତି କହିଥିବା ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ସେହି ବିଚାର ସମୟରେ ରାଜ୍ୟ ସରକାର ରଥଯାତ୍ରା ଦ୍ଵାରା ମହାମାରୀ ରାଜ୍ୟରେ ବ୍ୟାପକ ହେବାର ଆଶଙ୍କା ବ୍ୟକ୍ତ କରିଥିଲେ। ଯେହେତୁ ରାଜ୍ୟର ଗାଁ ଗଣ୍ଡାରେ ରଥଯାତ୍ରା ପାଳନ ହେଉଛି ଏବଂ ଏବେ ମୌସୁମୀ ଋତୁ ସଙ୍ଗେ ରାଜ୍ୟକୁ ୫ ଲକ୍ଷ ପ୍ରବାସୀ ଫେରିଛନ୍ତି, ରଥଯାତ୍ରାବେଳେ ଭକ୍ତଙ୍କ ସମାଗମ ରାଜ୍ୟରେ ପରିସ୍ଥିତିକୁ ଉତ୍କଟ କରିପାରେ ବୋଲି ରାଜ୍ୟ ସରକାର ଆଶଙ୍କା ବ୍ୟକ୍ତ କରିଥିଲେ। ଯାହାକୁ ଆଖିରେ ରଖି କୋର୍ଟ ରାଜ୍ୟରେ ରଥଯାତ୍ରାଉପରେ ନିଷିଦ୍ଧାଦେଶ ଜାରି କରିଥିଲେ।
କୋର୍ଟଙ୍କ ଏହି ଆଦେଶକୁ ତତ୍କ୍ଷଣାତ୍ ଗଜପତି ମହାରାଜାଙ୍କଠାରୁ ଆରମ୍ଭ କରି ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି ସ୍ଵାଗତ କରିଥିବା ବେଳେ ୨୪ ଘଣ୍ଟା ଭିତରେ ତାହା ରାଜ୍ୟବାସୀଙ୍କୁ ଅସନ୍ତୁଷ୍ଟ କରିଥିଲା। ରାଜ୍ୟବାସୀ ବିଭିନ୍ନ ସୂତ୍ରରେ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ। ଏହି ସମାଲୋଚନାରେ ଯୁକ୍ତି ଧରି କୋର୍ଟଙ୍କୁ ଆଦେଶର ପୁନଃ! ଶୁଣାଣୀ ପାଇଁ ନିବେଦନ କରିଥିଲେ। ଏ ଭିତରେ ଗୋଟିଏ ରିଟ୍ ପିଟିସନ୍ ଏବଂ ତିନୋଟି ଅନ୍ତରୀଣ ପିଟିସନ୍ ଦାଖଲ ହୋଇଛି। ଏହାକୁ କୋର୍ଟ ଗ୍ରହଣ କରି ଆସନ୍ତା କାଲି ଶୁଣାଣୀ ନିର୍ଘଣ୍ଟ କରିଛନ୍ତି।
ଏହି ସମୟରେ ରାଜ୍ୟ ସରକାର ସୁପ୍ରିମ୍କୋର୍ଟ ଭକ୍ତଙ୍କ ଆବେଗ ଓ ବିନା ଭକ୍ତରେ ରଥଯାତ୍ରା କରାଇବାକୁ ଆଦେଶ ସପକ୍ଷରେ ଯୁକ୍ତି ବାଢ଼ିବେ ବୋଲି କହିଛନ୍ତି।
ସରକାରଙ୍କ ଏହି ୟୁ ଟର୍ନ ଏବେ ସୁପ୍ରିମ୍କୋର୍ଟଙ୍କୁ ମଧ୍ୟ ଦ୍ଵନ୍ଦ୍ଵରେ ପକାଇପାରେ। କାରଣ କୋର୍ଟକୁ ଯିବା ପୂର୍ବରୁ ସରକାର ଏ ବାବଦରେ ଆବଶ୍ୟକ ସମୀକ୍ଷା କରି ନଥିବା ସ୍ପଷ୍ଟ ହୋଇଛି। ଏହା ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ମଧ୍ୟ ରାଜ୍ୟ ସରକାରଙ୍କୁ ବିନା ଭକ୍ତରେ ରଥଯାତ୍ରା ପାଇଁ ଆଦେଶ ଦେବାକୁ ନିବେଦନ କରିଥିଲେ।