୩୭୪୧ କନଷ୍ଟେବଳ ପଦବୀ ପୂରଣ ପାଇଁ ବିଜ୍ଞାପନ ଦେଲେ ଓଡ଼ିଶା ପୁଲିସ
ଭୁବନେଶ୍ଵର, (ଓଡ଼ିଶା ଟାଇମ୍): କରୋନା କାଳରେ ରାଜ୍ୟ ସରକାର ନିଯୁକ୍ତି ସୁଯୋଗ ସୃଷ୍ଟି କରିଛନ୍ତି। ଓଡ଼ିଶା ପୁଲିସ ପକ୍ଷରୁ ରାଜ୍ୟ ଶିଳ୍ପ ସୁରକ୍ଷାବଳ (ଓଆଇଏସ୍ଏଫ୍)ରେ ୩୭୪୧ଜଣ କନଷ୍ଟେବଳ ନିଯୁକ୍ତି ପାଇଁ ବିଜ୍ଞାପନ ପ୍ରକାଶ କରାଯାଇଛି। ଦଶମ ଶ୍ରେଣୀ ପଢ଼ିଥିବା ଯେକୌଣସି ପୁରୁଷ ବା ମହିଳା ପ୍ରାର୍ଥୀ ଏହି ପଦବୀ ଲାଗି ଆବେଦନ କରିପାରିବେ। ତାଙ୍କ ବୟସ ୧୮ ବର୍ଷରୁ କମ୍ ବା ୨୩ବର୍ଷରୁ ଅଧିକ ହୋଇ ନଥିବା ଆବଶ୍ୟକ। ସେ ବିଜ୍ଞାପନ ପ୍ରକାଶ ତାରିଖ ପୂର୍ବରୁ ରାଜ୍ୟର କୌଣସି ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ୍ରେ ନାମ ପଞ୍ଜିକରଣ କରିଥିବା ଆବଶ୍ୟକ।
ଯୋଗ୍ୟ ପ୍ରାର୍ଥୀଙ୍କୁ ସେମାନଙ୍କ ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ପାଖରେ ଜୁଲାଇ ୩ ତାରିଖ ପୂର୍ବରୁ ଆବେଦନ କରିବାକୁ ହେବ। ଏଥିଲାଗି ୧୫୦ଟଙ୍କା ଆବେଦନ ଦେୟ ଦେବାକୁ ହେବ। ଏସ୍ସି ଓ ଏସ୍ଟି ବର୍ଗଙ୍କ ପାଇଁ କୌଣସି ଦ୍ରେ ଦେବାକୁ ପଡ଼ିବ ନାହିଁ। ଏହି ଆବେଦନ ଗ୍ରହଣ ଜୁନ୍ ୧୫ ତାରିଖରୁ ଆରମ୍ଭ ହୋଇଛି। ଆବେଦନ କରିଥିବା ପ୍ରାର୍ଥୀ ମାନେ ଜୁଲାଇ ୫ ତାରିଖରେ ଏକ ଶାରିରୀକ ପରୀକ୍ଷା ଦେବେ। ଏଥିଲାଗି ପ୍ରତି ଜିଲ୍ଲାରେ ପରୀକ୍ଷାକେନ୍ଦ୍ର ନିର୍ଦ୍ଧାରଣ କରାଯାଇଛି। ଆଶାୟୀ ପ୍ରାର୍ଥୀମାନେ ଏଠାରେ ସକାଳ ୭ଟା ପୂର୍ବରୁ ପହଞ୍ଚିବା ଆବଶ୍ୟକ ବୋଲି ବିଜ୍ଞାପନରେ କୁହାଯାଇଛି। ଏହି ପରୀକ୍ଷା ଲମ୍ବା ସମୟ ଚାଲିବାକୁ ଥିବାରୁ ପ୍ରାର୍ଥୀଙ୍କୁ ଏକାଳୀନ ଭାବେ କିଛିଦିନ ସେହି ସ୍ଥାନରେ ରହିବା ନିମନ୍ତେ ପ୍ରସ୍ତୁତ ହୋଇ ଆସିବାକୁ ମଧ୍ୟ ଓଡ଼ିଶା ପୁଲିସ ପକ୍ଷରୁ ନିବେଦନ କରାଯାଇଛି।
ପଦବୀ ଲାଗି ରାଜ୍ୟ ସରକାରଙ୍କ ଆରକ୍ଷଣ ନୀତି ସହିତ ହୋମ୍ଗାର୍ଡ଼ଙ୍କ ନିମନ୍ତେ ସୁବିଧା କରାଯାଇଛି। ୩ ବର୍ଷ ଚାକିରିରେ ରହିଥିବା ୨୮ ବର୍ଷରୁ କମ୍ କନଷ୍ଟେବଳ ପ୍ରାର୍ଥୀ ସରକାରଙ୍କ ଦ୍ଵାରା ଘେଶଷଣା କରାଯାଇଥିବା ଏହି ଆରକ୍ଷଣ ସୁବିଧା ନେଇପାରିବେ।
ସମୁଦାୟ ପଦବୀ ଭିତରୁ ୧୫ ପ୍ରତିଶତ ଅର୍ଥାତ୍ ୨୨୭ଟି ପଦବୀ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି। ସେହିପରି ସମୁଦାୟ ୧୫୧୧ ପଦବୀ ଅଣ ସଂରକ୍ଷିତ ହୋଇଥିବା ବେଳେ ସାମାଜିକ ଓ ଅର୍ଥନୀତିକ ଅନଗ୍ରସର ) ଏସ୍ଇବିସି) ସମ୍ପ୍ରଦାୟଙ୍କ ଲାଗି ୬୧୪, ଅନୁସୂଚିତ ଜାତି ବର୍ଗ ପାଇଁ ୬୫୫ ପଦବୀ, ଅନୁସୂଚିତ ଜନଜାତିଙ୍କ ପାଇଁ ୯୬୧ ପଦବୀ ସଂରକ୍ଷିତ ରହିଥିବା କୁହାଯାଇଛି।
ଶରିରୀକ ଯୋଗ୍ୟତା
ଆବେଦନ କରିଥିବା ଯୋଗ୍ୟ ପ୍ରାର୍ଥୀଙ୍କୁ ପ୍ରାଥମେ ଶାରିରୀକ ପରୀକ୍ଷା ଦେବାକୁ ହେବ। ଅଣ ସଂରକ୍ଷିତ ପ୍ରାର୍ଥୀଙ୍କ ଉଚ୍ଚତା ସର୍ବନିମ୍ନ ୧୬୮ ସେଣ୍ଟିମିଟର ବାଧ୍ୟତାମୂଳକ ରହିଥିବା ବେଳେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ଲାଗି ୧୬୩ ସେଣ୍ଟିମିଟର ସ୍ଥିର ରହିଛି। ସେହିପରି ଅଣ ସଂରକ୍ଷିତ ଓ ଏସ୍ଇବିସି ପ୍ରାର୍ଥୀଙ୍କ ଓଜନ ୫୫ କିଲୋଗ୍ରାମ ହେବା ଆବଶ୍ୟକ। ଏସ୍ସି ଓ ଏସ୍ଟି ବର୍ଗଙ୍କ ଲାଗି ତାହା ୫୦ କିଲୋ ରଖାଯାଇଛି। ମହିଳା ପ୍ରାର୍ଥୀ ଅଣ ସଂରକ୍ଷିତ ବର୍ବରେ ସର୍ବନିମ୍ନ ଉଚ୍ଚତା ୧୫୮ ସେଣ୍ଟିମିଟର ଓ ଓଜନ ୪୭.୫ କିଲୋଗ୍ରାମ ହେବା ଆବଶ୍ୟକ। ଏସ୍ସି ଓ ଏସ୍ଟି ବର୍ଗର ମହିଳାଙ୍କ ସର୍ବ ନିମ୍ନ ଓଜନ ୪୫ କିଲୋ ଏବଂ ଉଚ୍ଚତା ୧୫୩ ସେଣ୍ଟିମିଟର ହେବା ଆବଶ୍ୟକ।