ଆଜି ନବୀନ-ମୋଦୀ ଆଲୋଚନା

ଭୁବନେଶ୍ବର, (ଓଡିଶା ଟାଇମ୍) : କରୋନା ମୁକାବିଲା ନେଇ ଭବିଷ୍ୟତ ରଣ କୌଶଳ ପ୍ରସ୍ତୁତି ସଂପର୍କରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୧୫ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ପ୍ରଶାସକଙ୍କ ସହ ଆଲୋଚନା କରିବେ। ଅପରାହ୍ନ ୩ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ଆଲୋଚନା ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ୨୧ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ ଏବଂ ପ୍ରଶାସକଙ୍କ ସହ ଆଲୋଚନା କରିଥିଲେ। ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ କହିଥିଲେ କରୋନା ମହାମାରୀକୁ ନିୟନ୍ତ୍ରଣ କରିବା ଲାଗି ଦେଶବ୍ୟାପୀ ଜାରି କରାଯାଇଥିବା ଲକଡାଉନର ପ୍ରଥମ ପର୍ଯ୍ୟାୟ କୋହଳ କରାଯିବାର ଦୁଇସପ୍ତାହ ପରେ ଦେଶର ଅର୍ଥନୀତି କ୍ରମଶଃ ସ୍ୱାଭାବିକ ହେବାରେ ଲାଗିଛି। ସେ କହିଛନ୍ତି ଗତ କିଛିସପ୍ତାହ ଧରି ନିଆଯାଇଥିବା ବିଭିନ୍ନ ପଦକ୍ଷେପ କାରଣରୁ ଦେଶର ଅର୍ଥ ବ୍ୟବସ୍ଥାରେ ସବୁଜ ସଂକେତ ପରିଲକ୍ଷିତ ହୋଇଛି। ଖୁଚୁରା ବ୍ୟବସାୟ କ୍ଷେତ୍ରରେ ଡିଜିଟାଲ୍‍ ଅର୍ଥ ପଇଠ ଲକଡାଉନ ପୂର୍ବସ୍ତରରେ ପହଞ୍ଚି ପାରିଛି। ସେହିଭଳି ଗତମାସରେ ଟୋଲ୍‍ ଆଦାୟ ବୃଦ୍ଧି ପାଇବା ସହ ରପ୍ତାନୀରେ ମଧ୍ୟ ସୁଧାର ଆସିଛି। ଏହି ସଂକେତ ଆମକୁ ଆଗକୁ ବଢ଼ିବା ଲାଗି ଉତ୍ସାହିତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।


ଏହି ଅବସରରେ ପ୍ରଧାନମନ୍ତ୍ରୀ ଜୀବନ ଓ ଜୀବିକା, ସ୍ୱାସ୍ଥ୍ୟ ଭିତ୍ତିଭୂମି, ଟେଷ୍ଟିଂ ଓ ଟ୍ରେସିଂ ସହିତ ଅର୍ଥନୈତିକ କାର୍ୟ୍ୟକଳାପ ବୃଦ୍ଧି ଉପରେ ଗୁରୁତ୍ୱ ଆରୋପ କରିଛନ୍ତି। ସେ କହିଛନ୍ତି, ମହାମାରୀ ମୁକାବିଲା ଦିଗରେ ସମୟୋଚିତ ନିଷ୍ପତ୍ତି ନିଆଯିବା କାରଣରୁ ଦେଶରେ ଏହାର ସଂକ୍ରମଣକୁ ପ୍ରଭାବି ଢଙ୍ଗରେ ଅବରୋଧ କରାଯିବା ସମ୍ଭବ ହୋଇପାରିଛି। ପ୍ରତିଟି ଜୀବନ ରକ୍ଷା ଲାଗି ସରକାର ଚେଷ୍ଟା କରୁଛନ୍ତି। ପରିବହନର ସମସ୍ତ ମାର୍ଗ ଖୋଲି ସାରିଥିବାରୁ ଇତିମଧ୍ୟରେ ଲକ୍ଷାଧିକ ପ୍ରବାସୀ ଶ୍ରମିକ ନିଜ ଗ୍ରାମକୁ ଫେରିଛନ୍ତି। ସେହିଭଳି ବିଦେଶରୁ ମଧ୍ୟ ହଜାର ହଜାର ଭାରତୀୟ ସ୍ୱଦେଶ ଫେରିଛନ୍ତି। ଦେଶବାସୀ ଏହି ମହାମାରୀକୁ ପ୍ରତିହତ କରିବା ଦିଗରେ ପ୍ରଦର୍ଶନ କରିଥିବା ଶୃଙ୍ଖଳାକୁ ସାରା ବିଶ୍ୱ ପ୍ରଶଂସା କରୁଛି। ଦେଶରେ ଆରୋଗ୍ୟ ହାର ବର୍ତ୍ତମାନ ୫୦ ପ୍ରତିଶତରୁ ଅଧିକ ହୋଇସାରିଲାଣି।


ସେହିଭଳି କୋଭିଡ୍‍ ନାଇଣ୍ଟିନ୍‍ ଜନିତ କମ୍‍ ମୃତ୍ୟୁହାର ଥିବା ଦେଶଗୁଡ଼ିକ ମଧ୍ୟରେ ଭାରତ ପରିଗଣିତ ହେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି, ମୁହଁରେ ମାସ୍କ ନ ଦେଇ କେହି ବାହାରକୁ ଯିବା ଉଚିତ ନୁହେଁ। ଏହା କେବଳ ବ୍ୟକ୍ତିଗତ ସୁରକ୍ଷା ନୁହେଁ, ବରଂ ପରିବାର ତଥା ସମଗ୍ର ରାଷ୍ଟ୍ରର ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ।

Leave a Reply

Your email address will not be published. Required fields are marked *