ରାଜ୍ୟରେ କରୋନା ନେଲା ଆଉ ଗୋଟେ ମୁଣ୍ଡ, ୧୧କୁ ବୃଦ୍ଧି ପାଇଲା ମୃତ୍ୟୁସଂଖ୍ୟା
ଭୁବନେଶ୍ବର, (ଓଡିଶା ଟାଇମ୍) : ରାଜ୍ୟରେ କରୋନା ନେଲା ଆଉ ଜଣଙ୍କ ମୁଣ୍ଡ । ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୧ ଜଣଙ୍କ ଜୀବନ ଗଲାଣି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ ଓ୍ବେବସାଇଟ୍ରେ ସୂଚନା ପ୍ରଦାନ କରାଯାଇଛି । ତେବେ ମୃତକ ଜଣଙ୍କ ଗଞ୍ଜାମ ଜିଲ୍ଲାର ବୋଲି ଜଣାପଡିଛି ।
ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗର ଟ୍ବିଟର ପକ୍ଷରୁ ଦର୍ଶାଯାଇଛି ଯେ, ମୃତ ବ୍ୟକ୍ତି ଜଣଙ୍କ ଗଞ୍ଜାମ ଜିଲ୍ଲାର । ତାଙ୍କ ବୟସ ୫୦ ବର୍ଷ । ତାଙ୍କର କୋଭିଡ୍-୧୯ ପଜିଟିଭ ଚିହ୍ନଟ ହେବା ପରେ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି । ସେ ମଧୁମେହ, ଉଚ୍ଚ ରକ୍ତଚାପ, କ୍ରୋନିକ୍ କିଡନୀ ରୋଗ ଏବଂ କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ପଲମୋନାରି ରୋଗରେ ପୀଡିତ ଥିଲେ ।
ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩୯୦୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୩୦୧ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୨୫୯୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୧୧ ଜଣଙ୍କର ମୃତ୍ୟୁ କରୋନାଜନିତ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି ।