ଆଜି ରଜ ସଜବାଜ, କରୋନା ପାଇଁ ଚଳିତବର୍ଷ ଦେଖିବାକୁ ମିଳିବନି ଦୋଳି ଖେଳର ମଜା…

ଭୁବନେଶ୍ଵର, (ଓଡ଼ିଶା ଟାଇମ୍‌):  ଆଜି ପହିଲି ରଜ। ଆନନ୍ଦ ଉଲ୍ଲାସର  କେତେ ଆଶା ଓ ଉଦ୍ଦୀପନା ନେଇ ଏହା ସବୁ ବର୍ଷ ପରି ଆମ ଆଗରେ ଉପସ୍ଥିତ। କିନ୍ତୁ ଏ ବର୍ଷ କରୋନା ସଂକ୍ରମଣ ସ୍ଥିତି ଦେଖି ଲକ୍‌ଡାଉନ୍ ଯୋଗୁ ଫିକାପଡିଛି ରଜ । ଅର୍ଥାତ୍‌ ଏଥର ଦେଖିବାକୁ ମିଳିବନି ଦୋଳି ଖେଳର ମଜା । ତେବେ ରାଜ୍ୟରେ କରୋନା ମହାମାରୀ ପାଇଁ ଲକ୍ ଡାଉନ୍ କରାଯାଇଥିବା ବେଳେ ଜୁନ ୩୦ ତାରିଖ ପର‌୍ୟ୍ୟନ୍ତ ୧୧ ଟି ଜିଲ୍ଲାରେ ସପ୍ତାହରେ ୨ ଦିନ ଶନିବାର ଓ ରବିବାର ସର୍ଟ ଡାଉନ୍ ପାଇଁ ଘୋଷାଣ କରାଯାଇଛି। କିନ୍ତୁ ଏହି ଶନିବାର ପହିଲି ରଜ ଓ ରବିବାର ରଜ ସଂକ୍ରାନ୍ତି ପଡୁଥିବା ବେଳେ ଏଥର ପାରମ୍ପାରିକ ରଜ ର ମାନ୍ଦାବସ୍ଥା ଦେଖିବାକୁ ପଡ଼ିବ କ୍ଷ ତେବେ ରଜରେ କରୋନା ସଂକ୍ରମଣ ସଂଖ୍ୟା ଅଧିକ ବଢିବା ନେଇ ସରକାର ଆଶଙ୍କକ୍ଷ ରଖିଥିବା ବେଳେ କେନ୍ଦୁଝର ଓ ପରେ ପରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ଜୁନ୍ ୧୬ ଯାଏଁ କଡା କଟକଣା ଜାରି କରାଯାଇଛି । ଏହାସହ ବାଲେଶ୍ୱର ଓ ଢେଙ୍କାନାଳରେ ମଧ୍ୟ କଟକଣା ଲାଗୁ ହୋଇଛି ।
କରୋନାକୁ ନେଇ ରଜ ପର୍ବ ପାଳନ ଉପରେ କଟକଣା 
ତେବେ ଚଳିତ ରଜରେ ମେଳା ମହୋତ୍ସବ ଆୟୋଜନ ଉପରେ ବି କଟକଣା ଜାରି ହୋଇଛି। ଗତକାଲି କିଣାକିଣି ପାଇଁ ରାଜ୍ୟ ସରକାର କର୍ଫ୍ୟୁରେ ୩ ଘଣ୍ଟା କୋହଳ କରିଥିଲେ । ହେଲେ ଲୋକମାନେ ସାମଜିକ ଦୂରତା ନମାନି ବିଭିନ୍ନ ମାର୍କେଟର ଭିଡ ଜମାଉଥିବା ଦେଖିବାକୁ ମିଳିଥିଲା। ପରିସ୍ଥିତି ଏପରି ହୋଇଥିଲା ଯେ ରାଜଧାନୀରେ ମାର୍କେଟ ବିଲ୍‌ଡିଙ୍ଗ ଓ ୧ ନମ୍ବର ହାଟକୁ ସିଲ୍ କରିଦିଆଯାଇଥିଲା ।
କେନ୍ଦୁଝର: କରୋନାକୁ ନେଇ କେନ୍ଦୁଝରରେ ରଜ ପର୍ବ ପାଳନ ଉପରେ କଟକଣା ଲଗାଇଛି ଜିଲ୍ଲା ପ୍ରଶାସନ। ୧୩ ତାରିଖଠାରୁ ରଜ ପର୍ବ ପାଳନ ହେବାକୁ ଥିବା ବେଳେ କାଲିଠାରୁ କଟକଣା ଲାଗୁ ହେଉଛି।  କେନ୍ଦୁଝରରେ ଗଣ ପର୍ବ ରଜ ସମୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଛି। ରଜ ଦୋଳି, ମେଳା, ମହୋତ୍ସବ ଏବଂ ପାରମ୍ପରିକ ଖେଳ ଆଦି ବେଳେ ଲୋକେ ବହୁତ ମାତ୍ରାରେ ଏକାଠି ହେବାର ସମ୍ଭାବନା ଥିବାରୁ ଏହା ଉପରେ ରୋକ ଲଗାଇଛି ପ୍ରଶାସନ। ତେଣୁ ଏସବୁ କେହି ଆୟୋଜନ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶ ରହିଛି ।ଆସନ୍ତାକାଲିଠାରୁ ୧୬ ତାରିଖ ଯାଏଁ ଏହି କଟକଣା ଲାଗୁ ହେବ। ଏହି ସମୟ ମଧ୍ୟରେ ଅତ୍ୟାବଶ୍ୟକ ଜିନିଷ ଦୋକାନ ସକାଳ ୭ଟାରୁ ସଂଧ୍ୟା ୭ଟା ଯାଏ ଖୋଲା ରହିବ। ହେଲେ ଅନ୍ୟ ସବୁ ଦୋକାନ ସକାଳ ୭ରୁ ଅପରାହ୍ନ ୨ଟା ଯାଏ ଖୋଲା ରହିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ରହିଛି।
ଗଞ୍ଜମ : ଗଞ୍ଜାମରେ ରଜ ବନ୍ଦ । କରୋନା ମହାମାରୀକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଜିଲ୍ଲାର ରଜ ମହୋତ୍ସବ ପାଳନ ଉପରେ କଟକଣା ଲଗାଇଲା ଜିଲ୍ଲା ପ୍ରଶାସନ। ତେବେ ରଜ ପାଇଁ ୧୧ରୁ ୧୬ ତାରିଖ ଯାଏଁ ଲାଗୁ ରହିବ କଟକଣା । ରଜ ଦୋଳି, ମେଳା, ମହୋତ୍ସବ, ଭୋଜିଭାତ ଉପରେ ଗଂଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ରୋକ୍ ଲଗାଯାଇଛି । ସେହିଭଳି ସକାଳ ୭ରୁ ସନ୍ଧ୍ୟା ୭ଟା ଯାଏଁ ଖୋଲା ରହିବ ନିର୍ଦ୍ଦିଷ୍ଟ ଦୋକାନ । ଲୁଗା ଦୋକାନ ଓ ଷ୍ଟେସନାରୀ ଦୋକାନ ଖୋଲା ରହିବ । ଅନ୍ୟ ଦୋକାନ ସକାଳ ୭ଟାରୁ ଦିନ ୨ଟା ଯାଏଁ ଖୋଲା ରଖିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତି ନେଇଛି । ରଜ ଉତ୍ସବକୁ ଦୃଷ୍ଟିରେ ରଖି କରୋନା ପାଇଁ ଉଗ୍ରତାର ପୀଠ ଓ ବରୁଣେଇ ମନ୍ଦିରରେ ଲାଗିବ ୧୪୪ ଧାରା । ୧୪ ତାରିଖରୁ ୨୦ ତାରିଖ ଯାଏଁ ପ୍ରତିବର୍ଷ ସେଠାରେ ରଜ ଉତ୍ସବ ପାଳନ କରାଯାଏ । ଅଧିକ ଜନସମାଗମ ହେବାର ସମ୍ଭାବନା ଥିବାରୁ ଏଠାରେ ୭ ଦିନ ଧରି ୧୪୪ ଧାରା ଜାରି କରାଯିବ । ଏହି ସମୟରେ କୌଣସି ପ୍ରକାର ଉତ୍ସବ ଓ ସାଂସ୍କୃତିକ କାର‌୍ୟ୍ୟକ୍ରମ କରାଯିବନି ।
ଚଳିତ ବର୍ଷ କରୋନା ମହାମାରୀ ପାଇଁ ପାରମ୍ପରିକ ରଜ ଉପରେ ସିଧା ସଳଖ ପ୍ରଭାବ ପଡିଥିବା ଦେଖାଦେଇଛି । ଆଉ ଏଥିପାଇଁ ଲୋକମାନେ ଘରେ ରହି ରଜ ପାଳନ କରିବେ । ବିଶେଷ କରି ରାଜ୍ୟରେ ୧୧ ଟି ଜିଲାକୁ ପ୍ରଶାସନ ପକ୍ଷରୁ ସପ୍ତାହକୁ ୨ ଦିନ ସର୍ଟ ଡାଉନ୍ ପାଇଁ ଘୋଷଣା କରାଯାଇଛି ।

Leave a Reply

Your email address will not be published. Required fields are marked *