ଓଡ଼ିଶା ଛୁଇଁଲା ମୌସୁମୀ
ଭୁବନେଶ୍ବର, (ଓଡିଶା ଟାଇମ୍) : ଓଡ଼ିଶା ଛୁଇଁଛି ଦକ୍ଷିଣ – ପଶ୍ଚିମ ମୌସୁମୀ ବାୟୁ ଏନେଇ ଭୁବନେଶ୍ବର ସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ପାଣିପାଗ ବିଭାଗର ଆକଳନ ଅନୁସାରେ ଠିକ୍ ସମୟରେ ମୌସୁମୀ ଓଡ଼ିଶା ଛୁଇଁଥିବା ଜଣାପଡ଼ିଛି।
ସୂଚନାଥାଉ କି, ୧୧ କିମ୍ବା ୧୨ ତାରିଖରେ ମୌସୁମୀ ଓଡ଼ିଶା ଛୁଇଁବା ନେଇ ଆକଳନ କରାଯାଇଥିଲା।ମୌସୁମୀ ପ୍ରବେଶ ସହ ରାଜ୍ୟରେ ଏବେ ଲଗାଣ ବର୍ଷା ଆରମ୍ଭ ହେବ। ଚଳିତ ବର୍ଷ ରାଜ୍ୟରେ ସ୍ୱାଭାବିକ ମୌସୁମୀ ବର୍ଷା ହେବା ସହ ବର୍ଷାର ପରିମାଣ ୧୦୩ ପ୍ରତିଶତ ରହିବ ବୋଲି ପାଣିପାଗ ବିଭାଗ ଆକଳନ କରିଛି।
ଏବେ ବଙ୍ଗୋପସାଗରେ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ବର୍ଷା ଜାରି ରହିଛି। ଆଜି ମୌସୁମୀ ବାୟୁ ଓଡ଼ିଶାକୁ ଛୁଇଁ ଥିବାରୁ ବର୍ଷାର ପରିମାଣ ବଢ଼ିପାରେ। ଏଥିପାଇଁ ଆଜି ଓ ଆସନ୍ତାକାଲି ପାଇଁ ଦକ୍ଷିଣ ଓ ଉପକୂଳ ଓଡ଼ିଶାକୁ ସତର୍କ ସୂଚନା ଜାରି କରାଯାଇଛି।
ସୂଚନାଥାଉ କି, ଜୁନ୍ ୧ରେ ମୌସୁମୀ କେରଳ ଛୁଇଁଥିଲା। ଠିକ୍ ସମୟରେ ଚଳିତ ବର୍ଷ ମୌସୁମୀ ବାୟୁ କେରଳରେ ପହଞ୍ଚିଛି। ସାଧାରଣତଃ ଜୁନ୍ ପହିଲାରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ କେରଳରେ ପହଞ୍ଚିଥାଏ ଏବଂ ଜୁଲାଇ ୧୫ ସୁଦ୍ଧା ଏହା ସାରା ଦେଶକୁ ଆଚ୍ଛାଦିତ କରିଥାଏ। କିନ୍ତୁ ଚଳିତ ଥର ବାତ୍ୟା ‘ଅମ୍ପନ୍’ ଯୋଗୁ ମୌସୁମୀ ବାୟୁ ପହଞ୍ଚିବାରେ ବିଳମ୍ବ ହୋଇପାରେ ବୋଲି କୁହାଯାଇଥିଲା ଏବଂ ଜୁନ୍ ୧ରୁ-୫ ମଧ୍ୟରେ ମୌସୁମୀ କେରଳରେ ପହଞ୍ଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା।