କ୍ୟୁଆର କୋଡ଼ରେ ମୋ ବସ୍‌ ଭଡ଼ା ଆଦାୟ

ଭୁବନେଶ୍ବର, (ଓଡିଶା ଟାଇମ୍) : କରୋନା ମହାମାରୀ ପରିପ୍ରେକ୍ଷୀରେ ମୋ ବସ୍‌ ଯାତ୍ରୀ ଏବଂ ଗାଇଡ୍‌ଙ୍କୁ ସଂକ୍ରମଣରୁ ଦୂରରେ ରଖିବା ପାଇଁ ବୁଧବାରଠାରୁ କ୍ୟାପିଟାଲ୍‌ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ(କ୍ରୁଟ)ପକ୍ଷରୁ ମୋ ବସ୍‌ରେ କ୍ୟୁଆର କୋଡ଼ ମାଧ୍ୟମରେ ବସ୍‌ ଭଡ଼ା ଆଦାୟ ଆରମ୍ଭ ହୋଇଛି।

ବସ୍‌ରେ ଯାତ୍ରୀଙ୍କ ପାଖରୁ ଗାଇଡ୍‌ମାନେ ନୋଟ୍‌ ଏବଂ ଖୁଚୁରା ଟଙ୍କା ହାତରେ ଆଦାନପ୍ରଦାନ ଦ୍ବାରା କରୋନା ଭୂତାଣୁ ସଂକ୍ରମଣ ସମ୍ଭାବନାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ। ଏହାକୁ ଲକ୍ଷ୍ୟ କରି କ୍ୟାସ୍‌ଲେସ୍‌ ବ୍ୟବସ୍ଥା ଅର୍ଥାତ କ୍ୟୁଆର କୋଡ଼ରେ ଟିକଟ ମୂଲ୍ୟ ଆଦାୟ କରାଯାଉ ଥିବା କ୍ରୁଟ୍‌ ପକ୍ଷରୁ ସୂଚନା ଦିଆଯାଇଛି।

କ୍ରୁଟ୍‌ ମହାପ୍ରବନ୍ଧକ ଦୀପ୍ତି ମହାପାତ୍ର କହିଛନ୍ତି, ରୁଟ୍‌ ନଂ ୧୬ ଏବଂ ୨୦ରେ ପ୍ରାଥମିକ ପର୍ଯ୍ୟାୟରେ ଏହି ସୁବିଧା ଉପଲବ୍ଧ ହୋଇଛି। ଆଗାମୀ ଦିନରେ ସମସ୍ତ ରୁଟ୍‌ରେ ଯାତ୍ରୀମାନେ କ୍ୟୁଆର କୋଡ଼ ମାଧ୍ୟମରେ ଟିକଟ କରି ପାରିବେ। ମୋ ବସ୍‌ରେ ମୋବାଇଲ ଆପ୍ ଏବଂ ଅନ୍‌ଲାଇନ୍ ଟିକଟ ସେବା ଆଗରୁ ଉପଲବ୍ଧ ଅଛି। ଯାତ୍ରୀମାନେ ଡିଜିଟାଲ ୱାଲେଟକୁ ବ୍ୟବହାର କରି ଟିକଟ କରିପାରିବେ। ବସ୍‌ରେ ଚଢ଼ିବା ମାତ୍ରେ ଯାତ୍ରୀମାନେ ଗାଇଡ୍‌ଙ୍କ ପାଖରେ ଥିବା କ୍ୟୁଆର କୋଡ଼କୁ ସ୍କାନ କରି ଟିକଟ ମୂଲ୍ୟ ଦେବେ। ସ୍କାନ୍‌ କରିବା ମାତ୍ରେ ଟିକଟର ମୂଲ୍ୟ ସିଧାସଳଖ କ୍ରୁଟ୍‌ ବ୍ୟାଙ୍କ ଖାତାକୁ ଚାଲିଯିବ। ଉଭୟ ଯାତ୍ରୀ ଏବଂ ଗାଇଡ୍‌ଙ୍କ ମୋବାଇଲକୁ ଏହି ଦେୟ ସମ୍ବନ୍ଧରେ ମେସେଜ୍ ଯିବ। ତନଖି କରିବା ପରେ ଗାଇଡ୍‌ମାନେ ଯାତ୍ରୀଙ୍କୁ ଟିକଟ ଦେବେ।

ଆଗାମୀ ଦିନରେ ଡିଜିଟାଲ ଟିକଟ ସେବାକୁ ଅଧିକରୁ ଅଧିକ ପ୍ରଚଳନ କରାଯିବ। ଏହାଦ୍ବାରା ଯାତ୍ରୀ ଏବଂ ଗାଇଡ୍‌ମାନେ ସୁରକ୍ଷିତ ରହି ପାରିବେ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *