ରାଜ୍ୟର ୬ ବିଶ୍ୱବିିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ୩ମାସ ବୃଦ୍ଧି
ଭୁବନେଶ୍ବର, (ଓଡିଶା ଟାଇମ ) :ରାଜ୍ୟର ୬ଟି ବିଶ୍ୱବିଦ୍ୟାଳୟର କୁଳପତିଙ୍କ କାର୍ଯ୍ୟକାଳକୁ ଆହୁରି ୩ ମାସ ବୃଦ୍ଧି କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ। କୁଳପତିଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ରାଜଭବନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ବିଜ୍ଞପ୍ତିରେ କୁହାଯାଇଛି ଯେ, ଜୁଲାଇ ଓ ଅଗଷ୍ଟରେ ଅବଧି ଶେଷ ହେଉଥିବା କୁଳପତିଙ୍କ କାର୍ଯ୍ୟକାଳକୁ ୩ ମାସ ପାଇଁ ବୃଦ୍ଧି କରାଯାଇଛି।
କରୋନା ଭାଇରସ ସ୍ଥିତିକୁ ଦୃଷ୍ଟିରେ ରଖି କୁଳପତିମାନଙ୍କର କାର୍ଯ୍ୟକାଳ ବୃଦ୍ଧି କରାଯାଇଥିବା ଜଣାପଡ଼ିଛି। କିନ୍ତୁ ଏହି ସମୟରେ କୁଳପତିମାନେ ନୀତିଗତ ନିଷ୍ପତ୍ତି ନେଇପାରିବେ ନାହିଁ।ମହାମାରୀ କରୋନା ଦୃଷ୍ଟିରୁ କାର୍ଯ୍ୟକାଳ ବୃଦ୍ଧି କରିଛନ୍ତି କୁଳାଧିପତି । ଉତ୍କଳ ବିଶ୍ୱବିଦ୍ୟାଳୟ , ଗଙ୍ଗାଧର ମେହେର, ଖଳ୍ଲିକୋଟ, ରମାଦେବୀ, ଉତ୍ତର ଓଡ଼ିଶା ,ଫକୀର ମୋହନ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ବଢ଼ିଥିବା ସୂଚନା ମିଳିଛି ।
ବାଲେଶ୍ୱରସ୍ଥିତ ଫକୀର ମୋହନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ମଧୁମିତା ଦାସଙ୍କ କାର୍ଯ୍ୟକାଳ ୨୦୨୦ ଅଗଷ୍ଟ ୧ ତାରିଖ ଯାଏଁ ଥିଲା। ସେହିପରି ବାରିପଦାସ୍ଥିତ ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳର କୁଳପତି ପ୍ରଫେସର ପ୍ରଦୀପ କୁମାର ଚାନ୍ଦଙ୍କ କାର୍ଯ୍ୟକାଳ ୨୦୨୦ ଅଗଷ୍ଟ ୩୧ରେ ଶେଷ ହେଉଥିଲା । ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅତନୁ କୁମାର ପତିଙ୍କ କାର୍ଯ୍ୟକାଳ ଆସନ୍ତା ଜୁଲାଇ ୨୫ରେ ଶେଷ ହୋଇଥାନ୍ତା । ସେହିପରି ବ୍ରହ୍ମପୁରସ୍ଥିତ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଅମରେନ୍ଦ୍ର ନାରାୟଣ ମିଶ୍ର ୨୦୨୦ ଜୁଲାଇ ୧୩ ତାରିଖରେ ଅବସର ନେଇଥାନ୍ତେ। ଭୁବନେଶ୍ୱରସ୍ଥିତ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପଦ୍ମଜା ମିଶ୍ରଙ୍କ କାର୍ଯ୍ୟକାଳ ୨୦୨୦ ଜୁଲାଇ ୧୪ରେ ଶେଷ ହେଉଥିଲା । ଉତ୍କଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସୌମେନ୍ଦ୍ର ମୋହନ ପଟ୍ଟନାୟକଙ୍କ କାର୍ଯ୍ୟକାଳ ୨୦୨୦ ଜୁଲାଇ ୩୦ରେ ଶେଷ ହେବାକୁ ଥିଲା ।