ସ୍ପେଶାଲ୍ ଟ୍ରେନରେ ଫେରିଲେଣି ୩ ଲକ୍ଷ ପ୍ରବାସୀ ଓଡ଼ିଆ
ଭୁବନେଶ୍ବର , (ଓଡିଶା ଟାଇମ୍) : ବାହାର ରାଜ୍ୟରୁ ଏବେ ସୁଦ୍ଧା ଫେରିଲେଣି ୩ ଲକ୍ଷ ପ୍ରବାସୀ ଓଡ଼ିଆ। ରାଜ୍ୟକୁ ୨୦୦ ଶ୍ରମିକ ସ୍ପେଶାଲ୍ ଟ୍ରେନ୍ ଆସି ସାରିଲାଣି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ୱିଟ୍ କରାଯାଇଛି। ପ୍ରବାସ ଫେରନ୍ତାଙ୍କୁ କରୋନା ଲକ୍ଷଣ ପାଇଁ ସ୍କ୍ରିନିଂ କରାଯାଉଛି। ସେମାନଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା କରାଯାଉଛି। ଏବଂ ବାଧ୍ୟତାମୂଳକ କ୍ୱାରେଣ୍ଟିନରେ ରହିବାକୁ ସେମାନଙ୍କ ଜିଲ୍ଲାକୁ ପଠାଯାଉଛି ବୋଲି ଟ୍ୱିଟ୍ରେ ଉଲ୍ଲେଖ କରାଯାଇଛି। ହଜାରେରୁ ଅଧିକ ପ୍ରବାସୀଙ୍କୁ ଧରି ରାୟଗଡ଼ାରେ ପହଞ୍ଚିଛି ଶ୍ରମିକ ସ୍ପେଶାଲ ଟ୍ରେନ୍। କେରଳ ଆଲେପ୍ପିରୁ ଆସିଥିବା ଏହି ଟ୍ରେନ୍ରେ ରାୟଗଡ଼ା, ନବରଙ୍ଗପୁର, କନ୍ଧମାଳ, କଳାହାଣ୍ଡି, କୋରାପୁଟ, ଗଜପତି ଓ ଗଞ୍ଜାମ ଜିଲ୍ଲାର ୧ ହଜାର ୭୨ ଜଣ ପ୍ରବାସୀ ଫେରିଛନ୍ତି।
ରାୟଗଡ଼ା ରେଳଷ୍ଟେସନ ଓ ଆଖପାଖ ଅଞ୍ଚଳରେ ୧୪୪ ଧାରା ଜାରି କରାଯାଇଛି। ଶ୍ରମିକମାନେ ପହଞ୍ଚିବା ପରେ ରାୟଗଡ଼ା ଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀମାନେ ସେମାନଙ୍କୁ ସ୍ୱାଗତ କରିଥିଲେ। ନାମ ପଞ୍ଜିକରଣ ପରେ ସେମାନଙ୍କ ସ୍କ୍ରିନିଂ, ଖାଦ୍ୟପେୟ ଓ ବିଶ୍ରାମର ବ୍ୟବସ୍ଥା କରାଯାଇଥିଲା।